ମେଘ ପାଲିଙ୍କିରେ ବରଷା ରାଣୀ
ମେଘ ପାଲିଙ୍କିରେ ବରଷା ରାଣୀ
ଶୁଖିଲା ମୁହଁରେ ଧୂସର ଦେହରେ
ଧରଣୀ ରାଣୀ ର ମୁହଁରେ ହସ
ମେଘ ପାଲିଙ୍କିରେ ବର୍ଷାରାଣୀ ଆସ
ବାଦଲ ରେ ପୁରି ଅଛି ଆକାଶ ।
ବାଦଲ ଉହାଡ଼େ ରୋଷଣୀ କରୁଛି
ବିଦ୍ୟୁତ୍ ର ଆଖି ଝଲସା ଛିଟା
ଘଡ଼ଘଡ଼ି ବାଜା ବଜାଇ ଆସୁଛି
ଘନ ଅନ୍ଧକାର କିରଣ ଘଟା |
ଆକାଶେ ପାଲିଙ୍କି ଦେଖି ଚାଷୀ ଖୁସୀ
ତା ସପନେ ସତେ ପର ଲାଗିଛି
ଶିରା ଗହଳ ରେ ମୁଖ ମଣ୍ଡଳ ତା
ବରଷା କୁ ଦେଖି ଚମକୁ ଅଛି |
ମେଘ ପାଲିଙ୍କିରେ ବରଷା ରାଣୀର
ଲାଜୁଆ ମୁହଁଟା ଉଙ୍କି ମାରୁଛି
ଧରା ତାକୁ ଚାହିଁ ଭରା ସପନରେ
ଧୁସର ପଣତ ଖୋଲି ରଖିଛି |
ବରଷା ରାଣୀ ର ଅମୃତ ଧାରାରେ
ପଣତ ଭିଜାଇ ଦେବ ଭାବୁଛି
ଆକାଶକୁ ଚାହିଁ ଆଶାର ମହଲ
ଆଖି ଆଗେ ତାର ନାଚି ଯାଉଛି |
ହାତ ଠାରି ଡାକେ ଆଲୋ ବରଷା
ତୋ ଅମୃତ ଧାରା ପରଶ ଦେଏ
ତପ୍ତ ଜୀବନରୁ ମୁକ୍ତ କରିଦେଇ
ଶୁଷ୍କତାର ଦୁଃଖ ଦୁରେଇ ନେଏ ।
ମେଘ ପାଲିଙ୍କିରେ ବର୍ଷା ରାଣୀ ଆସେ
ସବୁଜ ଗାଲିଚା ବିଛେଇ ଦେବ
ଜୀବ ଜଗତ ଯେ ହାଃ ହୁତାଶରୁ
ଅବିଳମ୍ବେ ପରା ମୁକ୍ତି ପାଇବ ।
ମେଘ ପାଲିଙ୍କିରେ ବର୍ଷା ରାଣୀ ଆସେ
ବେଙ୍ଗ ବେଙ୍ଗୁଲୀଙ୍କ ମନରେ ଖୁସୀ
ଶୁଷ୍କ ପୁଷ୍କରିଣୀ ପୂର୍ଣ୍ଣତା ସ୍ୱପ୍ନରେ
ସତେ କି ସାଧନା କରୁଛି ବସି ।
ମେଘ ପାଲିଙ୍କିରୁ ଓହ୍ଲାଇ ଆ ଲୋ
ବରଷି ଯାଆ ତୁ ଦୁର୍ମୂଲ୍ୟ ପାଣି
ତୋହରି ପରଶେ ଏ ଜଗତ ହସୁ
ହୋଇଯାଆ ତୁହି ଜଗତ ରାଣୀ |
