ଦଗ୍ଧ ପ୍ରଜାପତି
ଦଗ୍ଧ ପ୍ରଜାପତି
ଚିତ୍ରିତ କ୍ଷୁଦ୍ର ପକ୍ଷେ ମୋର
ମୋହିନୀ ପ୍ରତିଭା
ଆକର୍ଷିତ କରିପାରେ ତୁମକୁ
ଦୈବୀ ପ୍ରଦତ୍ତ ଶରୀରକୁ
କିପରି ରଖିବି ଆଢୁଆଳେ
ଭୁଲିଯିବି କି କୁହ ଟିକେ ଉଡିବା
ବଞ୍ଚିବାର ରାହା ଖୋଜିବା
ଛୋଟିଆ ଜୀବନେ ଛପିଯିବି କେଉଁ ଗୁମ୍ଫାରେ
ଗୁମ୍ଫାରେ ରାକ୍ଷସ ବସିଛି
ଉପବନେ ପାଦତଳେ ଚାପିଦବ ମତେ
ଦୁଇ ପାପୁଲିର ନରମ ସ୍ପର୍ଶରେ ମତେ ନେଉନାହଁ ତୋଳି
ବରଂ ଛଳନାରେ ମାରୁଛ ଚକଟି ଦଳି
କ୍ଷୁଦ୍ର ବୋଲି କର ଅନ୍ୟାୟ ଅତ୍ୟାଚାର
କ'ଣ ଉଡିବା-ହସିବା-ବଞ୍ଚିବା ଖାଲି ତୁମ ଅଧିକାର
ମୁଁ ବି ଏକ ସୃଷ୍ଟି ଏ ସମ୍ପୂର୍ଣ୍ଣ ସୃଷ୍ଟିର
ଭାବିଦେଖ ମୋ ବିନା ବସନ୍ତ କି ସୁନ୍ଦର
କରି ଚାଲିଛ ମୋ ଅସ୍ମିତା ଅସ୍ତିତ୍ବର ଇତି
ନିର୍ଭୟା ହୋଇ ବି ମୁଁ ଦଗ୍ଧ ପ୍ରଜାପତି....
ସମୟ ଆସିବ ତୁମେ ଧରିଥିବ ପ୍ରଜାପତି
ହେଲେ ବାହାରିବ ସଁବାଳୁଆ ଛଡାଇ କାତି
ପାପୁଲି ତୁମ ହେବ କ୍ଷତାକ୍ତ
ନୟନରୁ ତୁମ ଝରିବ ରକ୍ତ
ଖୋଜୁଥିବ ରଙ୍ଗୀନ ପ୍ରଜାପତି
କିନ୍ତୁ ପାଇବନି ସଁବାଳୁଆ ଠାରୁ ମୁକତି ।।
