ଶ୍ରାବଣ ମାସ
ଶ୍ରାବଣ ମାସ
ଶ୍ରାବଣ ଆସିଛି ସାଥେ ବରଷା ଧରି,
ଆକାଶ ରେ ଭେଳା ଭେଳା ବାଦଲ ମେଳି ।
ଉତ୍ତର ଦିଗରୁ ବହେ କାଲୁଆ ବାଆ,
ଗରମକୁ କହିଲା ସେ ଯାଆ ତୁ ଯାଆ ।
ଝିପିଝିପି ଆକାଶରୁ ବରଷା ଝରେ,
ଚାଷୀ ଭାଇ ଖୁସି କଥା କହି ନସରେ ।
ସକାଳ ନହେଉ ଯାଏ କ୍ଷେତବାଡିକୁ,
ଖାତିରି ନଥାଏ ତା'ର ଘଡଘଡି କୁ ।
ଚାରିଆଡେ ଘାସ ଗାଲିଚାର ଆସର,
ସାଧବବୋହୂ ସେଥିରେ ରଚଇଖେଳ ।
ପାଣି ପାଇ ପଲ୍ଲବିତ ସବୁଜ ଗଛ,
ଫୁଲ ରେ ନେନ୍ଥି ହୋଇଛି ବଗିଚା କାନ୍ଥ ।
ଟଗର,ତରାଟ ସାଥେ ମନ୍ଦାର ମିଳି,
ନିଜ ବଡିମା ଦେଖାଇ କରନ୍ତି କଳି ।
କଦମ୍ବ ଓଠରେ ଖେଳେ ହସର ଧାର,
ଆକାଶ କୁ ଜିଣେ ଅପରାଜିତା ନୀଳ ।
ଗୋଡିବାଣ,ରଙ୍ଗଣୀକୁ ଇଶ୍ୱରଜଟା,
ଏକ ଆରେକୁ ଦେଖାଇ କରନ୍ତି ଥଟ୍ଟା ।
ନଦୀନାଳେ ଭରିଅଛି ବରଷାଜଳ,
ଜଳଜୀବ ମାନେ ତହିଁ ରଚନ୍ତି ଖେଳ ।
ସାରୁବୁଦା ମୂଳୁ ବେଙ୍ଗ ରଡି ଶୁଭୁଛି,
ମାଛରଙ୍କା ମୀନ ଆଡେ ଚାହିଁ ରହିଛି ।
ଦୁଇ କୂଳ ଲଙ୍ଘି ନଦୀ ଯାଉଛି ଵହି,
ଖାଲଖମା କିଛି ସେତ ମାନଇ ନାହିଁ ।
ବାରିଆଡେ ମାଡେ ଜହ୍ନି,କାକୁଡି ଲତା,
କଖାରୁ ଡଙ୍କ ଚାଳରେ ଟେକିଛି ମଥା ।
ଟୁପୁଟୁପୁ ଝରିପଡେ ଆକାଶୁ ନିର,
ତାସ୍,ପଶା,ଲୁଡୁର ତ ଜମେ ଆସର ।
ଏଦିନରେ ପାଶେ ଥିଲେ ମୁଢିନଡିଆ,
ଖାଇବାକୁ ଲାଗେ ସେତ ଭାରି ବଢିଆ ।
ଚିତାଲାଗି, ରାକ୍ଷୀ ପୁଣି ଝୁଲଣ ଧରି,
ଶ୍ରାବଣ ଆସିଛି ମନେ ଆନନ୍ଦ ଧରି ।
ସବୁରି ମୁଖରେ ସେଯେ ଭରିଛି ହସ,
ସତରେ ଶ୍ରାବଣ ଭାରି ବଢ଼ିଆ ମାସ ।
