ପିଲାଦିନ
ପିଲାଦିନ
ପିଲାଦିନ କଥା ମନେପଡେ ଯଦି
ଏବେବି ଆଖିରେ ଭାସେ,
ଗାଁଆ ତୋଟାମାଳ,ସାଙ୍ଗସାଥୀ ଖେଳ
ସବୁତ ଜୀବନ୍ତ ଦିଶେ ।
ବୋଉର ସେନେହ,ବାପାଙ୍କ ଆକଟ
ଭାଈ ଭଉଣୀରେ କଳି,
ଏତେଦିନ ପରେ ସବୁ ମନେ ଅଛି
କିଛି ମୁଁ ଯାଇନି ଭୁଲି ।
ଗାଧୁଆ ତୁଠର ସାଙ୍ଗ ସାଥୀ ମେଳ
ଥଟ୍ଟାମଜା କେତେ ଗପ,
ମନେ ପଡଗଲେ ଏବେବି ଆଖିରୁ
ଲୁହବହେ ଟପଟପ ।
ସାଙ୍ଗସାଥୀ ନାଁଆ କିଛି ମୁଁ ଭୁଲିନି
ସବୁମୋର ମନେ ଅଛି,
ସହରର ଏଇ ଏକେଲା ଜୀବନ
ଭଲ ଲାଗୁନାହିଁ କିଛି ।
ଖୁଦୁରୁକୁଣିର ଫୁଲଚୋରି କଥା
ଏବେବି ପଡିଲେ ମନେ,
ଖୁସିସହ ମିଠା ଲାଜ ଆସି ମୋର
ଦେଖାଦିଏ ଆଖିକୋଣେ ।
ରଜଦୋଳି ପିଠା ଲାଗେଭାରି ମିଠା
ଗଛଡାଳରେ ସେ ଦୋଳି,
ଖେଳିବା ପାଇଁକି କେତେ ଯେ ଅପେକ୍ଷା ଆସିବାଯାଏଁକେ ପାଳି ।
କୁଆଁରପୁନେଇ ଆଞ୍ଜୁଳିଟେକା ଓ
ଚାଂଦ ଖିଆ ଘରକୋଣେ ,
ମିଠା ଜୋଛନାରେ ଭିଜିଭିଜି କେତେ
ଖେଳୁଥିଲୁ ସାଙ୍ଗମେଳେ ।
ଅପାସୋରା ସ୍ମୃତି ମନେ ପଡିଗଲେ
ଫେରିଯାଏ ଅତୀତକୁ,
ସମୟର ଗତି କେତେ କ୍ଷିପ୍ର ବୋଲି
ପଚାରେ ନିଜେ ନିଜକୁ ।
କଥା ପ୍ରସଙ୍ଗରେ କହିଲେ ଏକଥା
ହସୁଛନ୍ତି ପିଲାମାନେ,
ମତେ କିନ୍ତୁଜମା ହସ ଲାଗୁନାହିଁ
ଲୁହ ଆସେ ଆଖି କୋଣେ ।
ଆମ୍ବତୋଟାରେ ସେ ବୋହୂ ବୋହୁକା
ଓ ଲୁଚକାଳି ଖେଳକଥା,
ନାତୁଣୀକୁ ମୋର କହିଲା ବେଳକୁ
ମନେ ଆସେ ବହୁ ବ୍ୟଥା ।
ପଚାରିଲି ଦିନେ ଖୁସିରେ ତାକୁ ମୁଁ
କହିଲୁ ତୋ ସାଙ୍ଗ ନାଁଆ,
ବହୁ ଭାବି ସିଏ କହେ ବାବା,ମାମା,
ଜେଜେ ଆଉ ଜେଜେମାଆ ।
ଏକୁଟିଆ ଖେଳେ ଘର ଭିତରେ ସେ
ସହରୀ ଢାଞ୍ଚାରେ ରହି,
ସାଙ୍ଗସାଥୀ କଥା କିଛି ବୁଝେନା ସେ
ବୁଝେନା ପାହାଡ ନଈ ।
ସ୍ମୃତିରେ ମୁଁ ଭିଜି ଖୋଜୁଛି ମୁଁ ଆଜି
କାହିଁସେଇ ପିଲାଦିନ,
ଜୀବନର ଏଇ ଅପରାହ୍ନେ ସୁଧା
ଭୁଲୁନାହିଁ ତାକୁ ମନ ।
