Sarojini Mishra

Abstract

4  

Sarojini Mishra

Abstract

ଭିଜା ମାଟି ର ବାସ୍ନା

ଭିଜା ମାଟି ର ବାସ୍ନା

1 min
9


ମେଘ ଆକାଶ ରେ ବାଦଲ ମେଳରେ

ଧଳା କଳା ରଙ୍ଗେ ପାଲିଙ୍କି ସଜା

ବରଷା ରାଣୀ ତ ଧରିତ୍ରୀ ଛୁଇଁବ 

ଦେଖ ତ ଶୁଭୁଛି ବାଣ ଓ ବାଜା |


ବାଦଲ ଫଟାଇ ଆନ ମନା ହୋଇ

ଓହ୍ଲାଇବ ଯେବେ ବରଷା ରାଣୀ

ମାଟିରୁ ଉଠିବ ଭୁରୁ ଭୁରୁ ବାସ୍ନା

ଦେହ ମନକୁ ଯେ ନେବ ଯେ ଟାଣି ।


ମାଟିର ବାସ୍ନାରେ ମହକିବ ଧରା

କୃଷକ ମନରେ ରାଗ ରାଗିଣୀ

ମାଟିର ମଣିଷ ମାଟିରେ ତା ଆଶ

ମାଟି ତ ଜୀବନ ପରଶ ମଣି ।


ଭିଜା ମାଟି ଦେହୁ ଉଠି ଆସୁ ଥିବ

ତୃପ୍ତି ଭରା ଏକ ସୁନ୍ଦର ଛିଟା

ସବୁଜ ପତରେ ଲେଖିଦବ ସିଏ

ପୃଥିବୀ ଆକାଶ ପ୍ରେମ ସଂହିତା |


ଭିଜା ମାଟି ବାସ୍ନା ସଂଚ଼ରି କହିବ

ସବୁଜ ଗାଥାର ଗ୍ରନ୍ଥ ସଂହିତା

ପୃଥିବୀ ମାଆର ଧୂସର ପଣତେ

ଆଙ୍କି ହୋଇଯିବ ସବୁଜ ଚିତା |


ଟିପି ଟିପି ପାଣି ଭିଜାମାଟି ବାସ୍ନା

ମହକାଇ ଦେବ ଆଶା ମନ୍ଦିର

ସେଇ ମହକରେ ବାସ୍ନାୟିତ ହେବ

ଆଶା ଆକାଂକ୍ଷାର ସ୍ବପ୍ନ ସହର ।


ଭିଜା ମାଟି ବାସ୍ନା ଆଙ୍କି ଦେବ ପରା

କୃଷକ ମନରେ ସୃଷ୍ଟି ର ଛବି

ମନ ଗହନ ରେ ଜଗାଇ ଦେବ ସେ

ଅସରା ଶକତି ଉତ୍ପତ୍ତି ରବି |


ବରଷା ବରଷୁ ସୀମା ସରହଦେ

ମାଟିର ବାସ୍ନାରେ ଜଗତ ଭରୁ

ସଭିଙ୍କ ମନକୁ ସମୁଜ୍ଜ୍ବଳ କରି

ଜଗତର ବନ୍ଧୁର ଉପାଧି ପାଉ ।


 


Rate this content
Log in

Similar oriya poem from Abstract