ବଳିଦାନ
ବଳିଦାନ
ବଳିଦାନ କଥା ମନରେ ଆସିଲେ
ମନେ ପଡେ ସେ ଅତୀତ
କେତେ ଦେଶ ପ୍ରେମୀ ଶହୀଦ ହୋଇଲେ
ବୋହିଥିଲା ଯେ ରକତ ।
ଚାବୁକ ପାହାରେ ଆହତ ହୋଇଲେ
ନିଜକୁ ସେ ବଳି ଦେଲେ
ତାଙ୍କ ବଳିଦାନେ ଏଇ ଦୁନିଆରେ
ଆମେ ସ୍ବାଧୀନ ହୋଇଲେ ।
ଜୟୀରାଜଗୁରୁ ବରଗଛ ଫାଶୀ
ଛାତିକୁ ଥରାଇ ଦେଲା
ଏତେ ସେ ନିଷୁର ନିମକ ହାରାମ୍
ବାନ୍ଧି ଦୁଇ ଫାଳ କଲା ।
ସମ୍ବଲପୁରର ବୀର ସୁରେନ୍ଦ୍ରସାଏ
କଟକ ସୁଭାଷ ବୋଷ
ଦେଶ ପାଇଁ ବଳିଦାନ ଦେଇଗଲେ
ସହି ସେ ଅନେକ କ୍ଲେଶ ।
ବାରଶହ ବଢେଇ ଜୀବ ଦାନ ପାଇଁ
ବାଳକ ସେ ଧର୍ମପଦ
ନିଜ ଜୀବନକୁ ଉତ୍ସର୍ଗ କରିଲେ
ନେଇ ପିତା ଆଶୀର୍ବାଦ ।
କୋଣାର୍କର ମୁଣ୍ଡି ମାରିଣ ଶେଷରେ
ନିଜ ଜାତି ଭାଇ ପାଇଁ
ସେମାନେଙ୍କ ଟେକ ରଖିଲେ ଜଗତେ
ଚନ୍ଦ୍ରଭାଗା ଗର୍ଭେ ଡେଇଁ ।
ପୁରାଣ ଯୁଗର ବଳିଦାନ କଥା
କି ବର୍ଣ୍ଣି ପାରିବି ମୁହିଁ
ରାମାୟଣ କଥା ବିଚାରକୁ ନିଅ
ନିଜେ ବୁଝି ଯିବ ତହିଁ ।
ମାତା କୈକେୟୀ ସ୍ନେହ ବଳି ଦେଇ
ରାମେ ବନବାସ ଦେଲେ
ବିନା ସ୍ବାର୍ଥେ କେତେ ନିନ୍ଦିତ ସେ ହେଲେ
ନା କିଏ ବୁଝି ପାରିଲେ ।
ଲକ୍ଷ୍ମଣ, ଉର୍ମିଳା, ଭରତଙ୍କ ବଳି
ରାମାୟଣରେ ବର୍ଣ୍ଣିତ
ଝରାଇ ଦେଇଛି ଲୋତକ ଜୁଆର
ଜଗତେ ହୁଏ ଚର୍ଚ୍ଚିତ ।
ଅମର ରଖିବା ପାଇଁ ଲଙ୍କପତି
ବିଭୀଷଣେ ତଡିଦେଲେ
ଶେଷେ ଜୀବନକୁ ବଳି ଦେଇ ରାଜ୍ୟ
ବିଭୀଷଣଙ୍କୁ ଅର୍ପିଲେ ।
ଦଧିଚୀ ଋଷିଙ୍କ ବଳିଦାନରେ ଯେ
ଇନ୍ଦ୍ରିଙ୍କ ବଜ୍ର ନିର୍ମିତ
>
ସେଇ ବଜ୍ରଘାତେ ବୃତ୍ତାସୁରକୁ ସେ
କରିଣ ଥିଲେ ନିହତ ।
କର୍ଣ୍ଣ ବଳିଦାନ ସବୁଠୁ ନିଆରା
ମାତା କୁନ୍ତୀଙ୍କର ପାଇଁ
ନିଜ ଜୀବନକୁ ବଳି ଦେଲେ ସିଏ
ପଞ୍ଚୁ ପାଣ୍ଡବ ବଞ୍ଚେଇ ।
ଧ୍ୟାଈପାନ୍ନା ନିଜ ପୁତ୍ର ବଳି ଦେଇ
ରାଜପୁତ୍ରେ ବଞ୍ଚେଇଲେ
ମାଆର ମମତା ପାଖରେ ନିଜର
କର୍ତ୍ତବ୍ଯ ଟେକ ରଖିଲେ ।
ଏ କଳି ଯୁଗରେ ସ୍ୱାର୍ଥର ମଣିଷ
ସ୍ବାର୍ଥ ପାଇଁ ବାଇ ହୁଏ
ନିଜ ସ୍ବାର୍ଥ ପାଇଁ କେତେ ଲୋକଙ୍କର
ଖୁସିକୁ ଛଡେଇ ନିଏ ।
ଜାଣି ଶୁଣି କିଏ ବଳିଦାନ ଦିଏ
ଅଶାନ୍ତି ନ ହେବା ପାଇଁ
ହେଲେ ତାର ଏଇ ବଳିଦାନ ମୂଲ୍ୟ
ନା କିଏ ବୁଝି ଥାଇ ।
ନିଜ ଅଧିକାର ବଳି ଦେଇ ସିଏ
ଆଖି ଲୁହ ପିଉଥାଏ
ବାହାସ୍ଫୋଟ ମାରି ଜିତି ଗଲା ବୋଲି
ସ୍ବାର୍ଥୀ, ଈର୍ଷା, ଗର୍ବୀ କୁହେ ।
ଶାନ୍ତିରେ ଟିକିଏ ରଖିବାର ପାଇଁ
କିଏ କେତେ ବଳି ଦ୍ୟନ୍ତି
ସର୍ବସ୍ଵ ଛାଡିଣ ଇଚ୍ଛା ବି ନ ଥିଲେ
ଛାଡି ଚାଲି ଯାଇଥାନ୍ତି ।
ମହତ୍ତ୍ୱ ଉଦ୍ଦେଶ୍ୟେ ବଳିଦାନ ଦେଲେ
ସିଏ ହୁଏ ଚରିତାର୍ଥ
ହୀନ ଚକ୍ରାନ୍ତର ବଳିଦାନ ସବୁ
ହୋଇ ଯାଇଥାଏ ବ୍ୟର୍ଥ ।
ଏବେତ ଏମିତି ବିକୃତ ମଣିଷ
ଅନେକ ଯେ ରହିଛନ୍ତି
ନିଜର ସ୍ୱାର୍ଥକୁ ହାତେଇବା ପାଇଁ
ଅନ୍ୟକୁ ବଳି ଚଢାନ୍ତି ।
ଯେଉଁ ବଳିଦାନ ଜଗତ କଲ୍ୟାଣ
ସେଇ ବଳିଦାନ ଦିଅ
ଯୁଗ ଯୁଗ ପାଇଁ ଏଇ ଜଗତରେ
ଯଶସ୍ବୀ ହୋଇଣ ଥାଅ ।
ଯେଉଁ ବଳିଦାନ ଛଳନା କପଟୀ
ସ୍ବାର୍ଥୀ ଜନକୁ ଜିତାଏ
ସେଇ ବଳିଦାନ କେବେବି ନ ଦିଅ
ଚାଣକ୍ୟଙ୍କ ବାକ୍ୟ ଇଏ ।