ଶେଷ
ଶେଷ
କୌଣସି କାର୍ଯ୍ୟର ଆରମ୍ଭଟି ଥିଲେ
ହୋଇଥାଏ ସିଏ ଶେଷ
ଶେଷ ଯେବେ ହୁଏ କେତେ ଖୁସି ଲାଗେ
ଓଠରେ ଫୁଟାଏ ହସ ।
ମାତୃ ଗର୍ଭେ ପିଲା ଅପେକ୍ଷା ଯେ କରେ
ଦୁନିଆ ଦେଖିବା ପାଇଁ
ସେଇ ଅପେକ୍ଷା ବି ଅନ୍ତ ହୋଇଥାଏ
ଜନ୍ମ ଯେବେ ହୋଇଥାଇ ।
ବିଦ୍ୟାଳୟ ଯାଏ ପାଠ ସିଏ ପଢେ
ଶେଷେ ପରୀକ୍ଷାଟି ଦିଏ
ପରୀକ୍ଷେ ଉତ୍ତୀର୍ଣ୍ଣ ହେଲେ ବିଦ୍ୟାଳୟେ
ପଢିବାଟା ଶେଷ ହୁଏ ।
ଚାକିରୀ କରି ସେ ସମୟ ବିତାଏ
ସିଏ ପୁଣି ଶେଷ ହୁଏ
ଧନ ଯଉବନ ବଢେ ତ ଯେମିତି
ଦିନେ ସିଏ ହ୍ରାସ ପାଏ ।
ବିବାହ ସରିଲେ ବିବାହର ଆଶା
ସେଇଠି ହୁଅଇ ଶେଷ
ସ୍ନେହ ମମତାରେ ହସ ଖୁସିରେ ସେ
ବଢୁଥାଏ ନିଜ ବଂଶ ।
ବୟସ ଯେ ଧୀରେ ଧୀରେ ବଢୁଥାଏ
ବାର୍ଦ୍ଧକ୍ୟ ହୁଏ ପ୍ରବେଶ
ଲିଭି ଯାଏ ହସ ଆଶା ଅସୁମାରୀ
ସେଇଠି ହୁଅଇ ଶେଷ ।
ଅଦରକାରୀଟି ସଭିଁଙ୍କ ପାଖରେ
ହେବାକୁ ଯେ ପଡିଥାଏ
ଯେତେ ହୀନିମାନ ଦିଅନ୍ତୁ ଜୀବନେ
କାହାକୁ ନ କହିହୁଏ ।
ବାସ୍ତବ ଜୀବନ କାହାଣୀ ଏଇତ
ଟିକିଏ ମିଛ ବି ନାହିଁ
ଘରଟିଏ ଯେବେ ତୋଳିଥାଏ ଯିଏ
ଶେଷ ବି ତ କରେ ସେହି ।
ଲେଖାଟିଏ ଯିଏ ଆରମ୍ଭ କରଇ
ସିଏ ଶେଷ ହୋଇଥାଏ
ନିଜ ପାଖେ ନିଜ କାଗଜ ଦେହରେ
&nb
sp;ରହିଯାଉ ପଛେ ସିଏ ।
ଯୁଦ୍ଧ ଯେବେ କେବେ ଆରମ୍ଭ ହୁଅଇ
ଦିନେ ବି ତ ଶେଷହୁଏ
ହାରିବା ଜିତିବା କହିତ ହୁଏନା
କାହା ଭାଗ୍ୟେ ଲେଖାଥାଏ ।
ରାମାୟଣ ଦେଖ ମହାଭାରତ ବି
ଦେବ ଅସୁରଙ୍କ ଯୁଦ୍ଧ
ଶେଷରେ ବିଜୟ ଦେବତା ହୁଅନ୍ତି
ରାକ୍ଷସ ହୁଅନ୍ତି ବଧ ।
ଏଇ କଳିଯୁଗେ ବିଶ୍ବଯୁଦ୍ଧ ହେଲା
ହେଲା ବି ତ ଯିଏ ଶେଷ
ହିରୋସୀମା ନାଗାସାକି ଧ୍ବଂସ ହେଲା
କହି ଦିଏ ଇତିହାସ ।
ପ୍ରତି ଘରେ ଘରେ ଝଗଡା ହୁଅଇ
ଶେଷରେ ବି ଶେଷ ହୁଏ
ଭାଇ ଭାଇ ମଧ୍ୟେ ପ୍ରାଚୀର ଉଠଇ
ସମ୍ପର୍କରେ ଫାଟ ହୁଏ ।
ବରଷକ ଆମ ବାରମାସ ହୁଏ
ଋତୁ ଶେଷେ ଋତୁ ଆସେ
ଗୋଟିଏ ଗଛରେ ଫଳ ଫଳୁ ଥିଲେ
ପାଚି ଝଡି ଯାଏ ଶେଷେ ।
ହେଲେ ଯଶ କୀର୍ତ୍ତି ଖ୍ୟାତି ସନମାନ
କେବେ ଶେଷ ହୁଏନାହିଁ
ଯୁଗ ଯୁଗ ପାଇଁ ଏଇତ ଜଗତେ
ସ୍ବର୍ଣ୍ଣାକ୍ଷରେ ଥାଏ ରହି ।
ଭଲ କାମ କଲେ ରହିଥାଏ ସିଏ
ମନ୍ଦ କାମ କଲେ ସିଏ
ଶେଷ ସିନା ହୁଏ ପାର୍ଥିବ ଶରୀର
ସିଏ କିନ୍ତୁ ରହିଯାଏ ।
ଜନମ ତ ଯେବେ ମରଣ ନିଶ୍ଚିତ
ଦିନେ ଇଏ ହୁଏ ଶେଷ
ମଶାଣୀ ଜୁଇରେ ଜଳିଯାଇ ଶେଷେ
ହୁଏ ମୁଠାଏ ପାଉଁଶ ।
ଧନ ଜନ ଗର୍ବ ରହେ ନାହିଁ କେବେ
ଦିନେ ହୋଇଯାଏ ଶେଷ
ଯେତିକି ବଞ୍ଚିବା ଖୁସିରେ ବଞ୍ଚିବା
ସବୁ ଓଠ ଦେବା ହସ ।