ବସନ୍ତ ଖୋଜୁଛି ଠିକଣା ତା'ର
ବସନ୍ତ ଖୋଜୁଛି ଠିକଣା ତା'ର
( ରାଗ -- ରସକୁଲ୍ୟା )
ଋତୁଚକ୍ର ଘୁରୁଛି ନିରନ୍ତର
ଏକ ପରେ ଏକ କ୍ରମରେ ତାର,
ଗ୍ରୀଷ୍ମ ବରଷା ଶରତ ହେମନ୍ତ,
ଶୀତ ପରେ ପରେ ଆସେ ବସନ୍ତ ଯେ,
ପ୍ରକୃତିର ଶୋଭା ଶିରୀ ଯେ,
ଜଗତେ ବଦଳେ ପ୍ରାଣୀଙ୍କ ମଙ୍ଗଳେ
ଦୁଃଖ ଯାଏ ଅପସରି ଯେ।୧।
ବାଟେ ବାଟହୁଡ଼ା ବାଟୋଇ ପରି
ଧ୍ୟାନ ହଟାଇ ଯାଉଛି ପାସୋରି,
ଲକ୍ଷ୍ୟର ବାଟେ ରହୁନି ନଜର
ବସନ୍ତ ଖୋଜୁଛି ଠିକଣା ତା'ର ସେ,
ଆସିଛି ଏବେ ଫଗୁଣ ଯେ,
ନବପତ୍ରେ ବୃକ୍ଷ କଢ଼ ଧରେ କକ୍ଷ
ଉଲ୍ଲସି ଉଠେ ତା' ମନ ଯେ।୨।
ଶୀତ ଯାଇ ପୁଣି ଆସଇ ଫେରି
ବସନ୍ତ କାହିଁ ପଡ଼େ ବର୍ଷା ଝରି ?
ଗାଉନି ତ କୋଇଲି ଆଗ ପରି
ବଂଶ ତାହାର ଯା'ନ୍ତି ସରି ସରି ଯେ,
ବଣ ଯେତେ ଧ୍ବଂସ କରି ଯେ,
ପରିବେଶ ନଷ୍ଟ ଦିଏ ଭାରି କଷ୍ଟ
ହୁଏନା ତାକୁ ସୁଧାରି ଯେ।୩।
ବଢ଼ୁଛି ଗରମ ମାତ୍ରା ଅଧିକ
ମଳୟ ବହୁନି ରହେ ଅଟକ,
ବିଞ୍ଚି ପଡ଼ୁନି ଫୁଲର ମହକ
ଖାଁ ଖାଁ ଲାଗୁଛି ଏ ସାରା ମୂଲକ ଯେ,
ଖେଳୁନି ପ୍ରାଣେ ପୁଲକ ଯେ,
ଖୋଲୁନି ପ୍ରୀତିରେ ହୃଦ ଫାଟକ
ନାହିଁ ଉଜ୍ଜ୍ୱଳ ଆଲୋକ ଯେ।୪।
ହୁଗୁଳା ହୁଏ ଜୀବନର ଡ଼ୋର
ସଂପର୍କ ରହେନା ସେତେ ମଧୁର,
ମନ ଗୁଡ଼ି ଉଡ଼ି ଯାଉଛି ଦୂର
ଛିଡ଼ି ପଡ଼ଇ ଧକ୍କା ଖାଇ କା'ର ସେ,
ମଳୟ କରେ ପ୍ରଳୟ ଯେ,
ଆଖିର ସପନ ହୁଏନା ପୂରଣ
ଭାଙ୍ଗି ପଡୁଛି ହୃଦୟ ଯେ।୫।
ମନେ ଥିଲା ଆଶା ଏ ବସନ୍ତରେ
ଶୁଭ ଶଙ୍ଖ ବାଜିବ ମିଳନରେ,
ସେ ତ ଅନ୍ତରରୁ ହୁଏ ଅନ୍ତର
ବସନ୍ତ ଖୋଜୁଛି ଠିକଣା ତା'ର ଯେ,
ଭାବର ଅଭାବ ମିଳେ ପରାଭବ
ଆୟତ୍ତ ଅଛି କାହାର ଯେ ?୬।
ଦିନ ଯାଏ ଚାଲି ଆସେନା ଫେରି
ତା' ସ୍ମୃତି ଦିଏ ହୃଦୟ ବିଦାରି,
ଆଶା ସପନ ସିନା ଅସୁମାରୀ
ହୁଏନା ସବୁ ତ ସଫଳ କରି ଯେ,
ଜୀବନେ ବଢ଼େ ଜଞ୍ଜାଳ ଯେ,
ଆସିଲେ ବସନ୍ତ ପ୍ରାଣ ହେବ ଶାନ୍ତ
ବୃକ୍ଷେ ଧରି ଫୁଲ ଫଳ ଯେ।୭।