ବାପା
ବାପା
କେଉଁ ରାଇଜକୁ ଚାଲିଗଲ ବାପା
ଅନ୍ତରେ ଖୋଜୁଛି ନିଇତି ମୁହିଁ
ଆଉ କେ ସାଜିବ ସୁରକ୍ଷାର ଛାତ
ବିଶ୍ୱସ୍ତ ମଣିଷ ଜଗତେ ନାହିଁ ।
ଚାଲି ଶିଖାଇଛ ଦୁନିଆ ବୁକୁରେ
ସମାଜେ ପାଇଛି ତୁମରି ନାମ
ଉଦର ଭରିଛ ନିଜେ କ୍ଷୁଧା ସହି
ନିଃସ୍ୱାର୍ଥେ ଅଜାଡି ଦେଇଛ ଶ୍ରମ ।
ଜୀବନ ଗଢିଛ ଜୀବନ୍ତ ଈଶ୍ୱର
ସପନ ପୂରଣ କରିଛ ମୋର
ତୁମ ପରି ପଥ ପ୍ରଦର୍ଶକ ପାଇ
ଚଲାପଥେ ନାହିଁ ତିଳେ ହେଁ ଡର ।
ବାପା ଥିଲା ପୁଅ ସଭାରେ ହାରେନି
ଜିତିବା ଶିଖେଇ ନିଜେ ହାରିଛ
ତୁମ ତ୍ୟାଗ ମୂଲ୍ୟ ଜଗତେ ଅମୂଲ୍ୟ
ଆମ ପାଇଁ ଦୁଃଖ କଷ୍ଟ ସହିଛ ।
ତୁମ ଆଶୀର୍ବାଦ ମୋ ପାଇଁ ଅମୃତ
ତୁମ ହାତ ଦୁଇ ଆଶ୍ରୟ ମୋର
ପ୍ରେରଣା ସଂସ୍କାର ତୁମ ଅବଦାନ
ତୁମ ପାଶେ ନାହଁ ଦୁର୍ଭାଗ୍ୟ ମୋର ।
ତୁମ ସ୍ମୃତି ନେଇ ବଞ୍ଚିବା ଶିଖୁଛୁ
ବିତିଯାଇଥିବା ଦିନ ଖୁସିରେ
ଫେରିଆସ ତୁମେ ଆମ ଦୁନିଆକୁ
ପ୍ରଭୁଙ୍କ କୃପାରେ କେଉଁ ରୂପରେ ।
