ଅବ୍ଯକ୍ତ କୋହ
ଅବ୍ଯକ୍ତ କୋହ
କୁନ୍ତୀ ମୁଁ !
ପୃଥାର ରୂପାନ୍ତରିତ ନାମଟିଏ।
ଶୀତଳ ଦହନ, ଅବ୍ୟକ୍ତ କୋହଟିଏ।
ଦୁର୍ବାସା ଙ୍କ, ଦୁର୍ବାର ବରାଭୟ,
ମୋ ମାତୃତ୍ବର ଅପ୍ରସ୍ତୁତ ପରାଜୟ।
ମନ୍ତ୍ରପୁତ ମାଳ, ଦଂଶିଦେଲା କାଳସର୍ପ ସମ
ଇଚ୍ଛାବତୀର ଆହ୍ବାନ ଅହଃପତିଙ୍କୁ,
ରୂପାନ୍ତରିତ କରିଥିଲା ଅପ୍ରକାଶ୍ୟ ଅଜୟାକୁ
କଷି ବୟସର, ନହୁଲୀ ପ୍ରେମର,
ପ୍ରହେଳିକାମୟ, ପହଲି ସନ୍ତକକୁ।
କର୍ଣ୍ଣ! କୁନ୍ତୁୀର କାନୀନ ଜାତ।
କୁନ୍ତ ହୋଇ, ମୋ ମାତୃତ୍ବକୁ କରିଛି କ୍ଷତାକ୍ତ
ମଞ୍ଜୁଷାରେ, ମଞ୍ଜୁଳ ଅକ୍ଷତଯୋନୀ ସମ୍ଭୁତ, କଅଁଳ ମାଂସ କଣ୍ଢେଇ କୁ,
ତରଣୀ ରେ ଦେଲି ଭସେଇ, ଅଦେଖା ଲୁହ
ଅବ୍ୟକ୍ତ କୋହକୁ, ସଂଗୋପନେ ଧରି।
କୁଆଁରୀ ମା' ର ପବିତ୍ର ପାପକୁ ଦେବାକୁ ଲୁଚାଇ।ଜାଣନ୍ତି ପ୍ରକୃତି, ଅରୁଣ,
ସାକ୍ଷୀ ହୋଇ ରହିଗଲ ଆହେ ଚକ୍ରଧାରୀ !
କୌନ୍ତେୟ, ରାଧେୟ ନାମରେ,
ଯେଦିନ ପାଇଲା ସ୍ୱୀକୃତି , ବୃଥା ମୁଁ,
ଛାତିକୁ ପଥର କରି, ଯନ୍ତ୍ରଣାରେ,
ଅବ୍ୟକ୍ତ କୋହ ସାଥେ,କାଟିଛି ଦିନ ଆଉ ରାତି।
ଲାଭ ଲୋଭେ, କପଟ ଫାଶେ,
ପାଦରେ ପଡିଗଲା ବେଡି,
ଭାରି ଇଛା ହେଉଥିଲା, ଉତୁରେଇ ଅବ୍ୟକ୍ତ
କୋହକୁ,ଭିଡି ଆଣିବାକୁ ବ୍ୟାଧ ଫାଶରୁ,
ନିରୀହ ମୃଗ ଶାବକକୁ।
ଜ୍ୟେଷ୍ଠ କୌନ୍ତେୟର, ପ୍ରଥମ ପ୍ରେମ କୃଷ୍ଣା ,
ତମ ସଖି କୃଷ୍ଣ। ତମ ଇଙ୍ଗିତରେ,
ଭରା ସଭାରେ, ପୌରୁଷର କଲା ତିରସ୍କାର
ସେ ପ୍ରେମକୁ କରି ପାଂଚ ଭାଗ,
କି ଭୁଲ ଅବା ମୁଁ କଲି ହୃଷୀକେଶ?
ଶ୍ରେଷ୍ଠ କୌନ୍ତେୟ ସମର୍ଥନେ, ଯେ ଦିନ,
ଭୂଲୁଣ୍ଠିତା କୁଳବଧୂର ଇଜ୍ଜତ।
ଛଟପଟ ହେଲି ବୁଝେଇ ଦେବାକୁ,
କାନ ଧରି ନାରୀ ଜାତିର ମହତ୍।
ମାତା, ସାଜି ବିମାତା, ମାଗି ନେଲି କଥା,
ପଞ୍ଚୁ ପାଣ୍ଡବଙ୍କ ମଥା।
ସନ୍ତାପିତ ମନ, ଚାହୁଁ ଥିଲା, ଭିଡି ଆଣି,
ରାଧେୟକୁ,ଶୁଆଇ କୋଳରେ,
ଶୁଖିଲା ଓଠକୁ ତା'ର ଭିଜେଇ ଦେବାକୁ,
ସାଇତା ମମତାର ଅମୃତ ରସରେ।
ହାୟ, ଅସହାୟ ମାତା, କୁଆଁରୀ ବୟସର, ଦୁର୍ବଳ ମୁହୂର୍ତ୍ତର ମିଳନ ଘଡି,
ମୋ ପାଦରେ ପକେଇଦେଇ ଥିଲା,
ଦଗ୍ଧିଭୂତ ସତୀତ୍ୱର କଳୁଷିତ ବେଡି।
ମହାରଥୀ, ସାରଥି, ରଥ ହରା ହୋଇ,
ସକଳ ଦହନ, ଯନ୍ତ୍ରଣା, ଅଖ୍ୟାତରୁ,
ମୁକ୍ତି ପାଇଁ, ତମ ଇଙ୍ଗିତରେ କେଶବ,
ରଣକ୍ଷେତ୍ରେ, ଶାନ୍ତି ରେ ପଡିଲା ଶୋଇ।
ବିଷ ପିତା ମାତା,ଛାଡି କୁଳ, ମାନ, ମହତ,
ଖୋଲି ଦେବାକୁ ସବୁ କଳଙ୍କିତ ଇତିବୃତ୍ତି।
ଗଲି ଧାଇଁ, ଲକ୍ଷ୍ମଣଙ୍କ ତିନି ରେଖା ଡେଇଁ।ନିଜ ସର୍ଜନା ଭର୍ସନାରେ ହେଲି ଅଭିଶପ୍ତା।
ନାରୀ କେବେ ଲୁଚାଇ ନପାରୁ,
ତା ଜୀବନର ଗୋପନୀୟ କଥା ।
କାମ୍ୟ କର୍ମର କାରଣ କାରିଣୀ ମୁଁ।
ବୁୁଝିପାରିଲିନି, କେଉଁ ପୋଥିକାର,କାହିଁକି
ବିଭୂଷିତା କରିଦେଲେ, ପଂଚ କନ୍ଯା ନାମେ, ଜାଣି ବା ନ ଜାଣି?