ମାତୃ ରୂପେଣ ସଂସ୍ଥିତା
ମାତୃ ରୂପେଣ ସଂସ୍ଥିତା
ବର୍ଣ୍ଣିଳ ପାର୍ବଣ ଆଭା,
କାଶତଣ୍ଡି ନୃତ୍ୟ ଶୋଭା,
ଧିର ସମାପ୍ତ ବିବର୍ଣ୍ଣ ।
ଆଶ୍ବିନ ଆକାଶ ବର୍ଣ୍ଣ,
ଧିରେ ହେଉଛି ମଳିନ,
ବାରିଦୁ ବାରି ପ୍ରସ୍ଥାନ ।
ଭବରଙ୍ଗ ଭୂମି ତଳେ,
ସମୟର ଅସ୍ତାଚଳେ,
ଅଭିନୟ ଅବସାନ ।
ସନ୍ତତି କରି ସନ୍ତପ୍ତ,
ଛାଡିବ ମାଆ କେମନ୍ତ,
ପଣତ ମମତା ସ୍ବପ୍ନ ।
ଅବ୍ଯକ୍ତ ଗର୍ଭ ବେଦନା,
ଉନ୍ମାଦେ ନବ ସର୍ଜନା,
ଦୁର୍ଲଭ ତା'ର ପାଉଣା ।
ଦରୋଟି ଓଠରୁ ହସ,
ଅପୂର୍ବ ବିଭୋର ଦୃଶ୍ୟ,
ଅସାଧ୍ଯ ତାହା ବର୍ଣ୍ଣନା ।
ଉଲଗ୍ନ ବକ୍ଷର କ୍ଷୀର,
ଜୀବନେ ଶକ୍ତି ସଂଚାର,
କୋଟି ଜନ୍ମ ତପ ଫଳ ।
ମାଆର ବାତ୍ସଲ୍ୟ କୋଳ,
ଅଭୟ ଆଶ୍ରୟ ସ୍ଥଳ,
ତା'ପାଖେ ନିଃସ୍ବ ଦୁର୍ବଳ ।
ସନ୍ତାନ ଜୀବନ ରକ୍ଷା,
ସତୀଙ୍କ ଅଗ୍ନି ପରୀକ୍ଷା
ବିବସ୍ତ୍ରେ ନିର୍ମଳ ମନ ।
ମାତା ଅନୁସୂୟା କଥା,
ବାଳୁତ ତ୍ରିଦେଵ ଗାଥା,
ଉଲଗ୍ନେ ଅମୃତ ଦାନ ।
ବସନ ଭୂଷଣ ହୀନା,
ମୁକ୍ତ କେଶେ ରକ୍ତ ତୃଷ୍ଣା,
ଅଙ୍ଗେ ଅଙ୍ଗେ ଦିବ୍ୟ କାନ୍ତି ।
ମହିଷାର ମନ ତଳେ,
କାମନାର ବହ୍ନି ଜଳେ ,
ମାୟା ମୋହେ ମୂଢମତି ।
କାଳୀ ବିପରୀତ ରତି,
ପାପାତ୍ମା ଙ୍କ କାଳରାତ୍ରି,
ପାପୀ ପାପ ଅନ୍ତେ ଅନ୍ତ ।
ରୂପରେ କି ଅଛି ପ୍ରେମ
ପୁରୁଷ କିଂପା ବିଭ୍ରମ,
ନିନ୍ଦା, ଘୃଣା, ଲଜ୍ଜା ପ୍ରାପ୍ତ ।
ମୁଖା ରାବଣର ମୁଖେ,
ନିଆଁ ଲଗାଉଛୁ ସୁଖେ,
ବିସ୍ମରଣ ସ୍ବ ସ୍ବ କର୍ମ, ।
ଅନ୍ତରେ ଅହଂ ରାବଣ,
ସଗର୍ବେ କଲେ ଦହନ,
ଶ୍ରେଷ୍ଠ ସେ ମାନବ ଧର୍ମ ।
ମହିଷା ରୂପୀ ପୁରୁଷ,
ଅଧର୍ମୀ ଅସୁର ବଂଶ,
କାମିନୀ କାଂଚନ ମତ୍ତ ।
ତ୍ରିଶକ୍ତି ପ୍ରବାହ ଶକ୍ତି,
ଦୁନିଆରୁ ଦୁଃଖ ମୁକ୍ତି,
ପ୍ରଣାମ ସୁ ସୃଜା ମାତ ।
