STORYMIRROR

Amarananda Nayak

Classics

3  

Amarananda Nayak

Classics

ରଜ ଆସେ

ରଜ ଆସେ

1 min
201


ଆକାଶ ନଈରେ ଭାସେ ବାଦଲ, 

ବାଦଲ ଅଂଗରୁ ବରଷାର ଝର, 

ରୌଦ୍ରକ୍ଳାନ୍ତା ଧରା ତ୍ରୁଷିତ ପରାଣ, 

ଭିଜେ ଆଷାଢ଼ର ପହଲି ଛୁଆଁର, 

ପ୍ରାଣ ହୁଏ ଶାନ୍ତ, ସିକ୍ତ ,ଶ୍ରୀ, କୋମଳ 

କାଳଚକ୍ରର ପଦଧ୍ୱନି ଗୁଂଜରଣ, 

ଭିଜା ମାଟିରେ ଜମେ ରଜର ଆସର। 


ରଜ ଆସେ......... 

ସଦ୍ଯସ୍ନାତା ମାଟି ମା ମାସିକଧର୍ମରେ, 

ବନସ୍ତ ଗର୍ଭରୁ ଗଜର ଡାକରେ, 

କୁଆଁରୀଙ୍କ ରଜ ଦୋଳି ଗୀତ ସୁରେ, 

ଅନୂଢ଼ା ଆଖି ଖୋସା ମଖମଲରେ, 

ସୋରିଷ ଫୁଲିଆ ତନୁ ଚମକରେ, ।। 


ରଜ ଆସେ....... 

ଗାଁ କବରୀର ଗଜରା ଗଜଲରେ, 

ଛନକ ମନ ଅସୁମାରୀ ସ୍ବପ୍ନରେ, 

ବଧୁର ରଜ ପସରା ମେଳଣରେ, 

ନାଲିପାଟ ପିନ୍ଧା ସାଧବବହୁର, 

ଲାଜୁଆ ଲାଜୁଆ ନହୁଲି ଚାଲି ରେ।। 


ରଜ ଆସେ......... 

କବାଡି, ଲୁଡ, ତାସ୍, ପଶାପାଲିରେ, 

ମିଠା, ପିଠା, ଆମ୍ବ, ପଣସ, ପାନରେ, 

କର୍ଷଣମୁଖୀ ର କର୍ଷକ ଅପେକ୍ଷାରେ, 

ନାଲି ପାଦ, ଓଠ, କଜଳ ଆଖିରେ, 

ରଜବତୀ ମାଟିର ନିଆରା ବାସ୍ନାରେ ।।


ରଜ ଆସେ........ 

ମାଆ, ଭାଉଜଙ୍କ କିମିଆ ପରଶେ, 

ବଣାଗୁଡେ, ଚାଉଳ ଚୂନା ମିଶେ, 

ତତଲା ପଲମୁ ପୋଡପିଠା ବାସେ,

ସଜବାଜ ସାରା ରାତି ଉଜାଗର,

ସୁନେଲୀ କିରଣେ ଆନନ୍ଦେ ବିଭୋର ।। 


ରଜ ଆସେ......... 

ଆମ୍ବ ଡାଳୁ ଝୋଟ ଦଉଡ଼ିର ଜଟ, 

ଦୋଳି ଚାରିପାଶେ ଆତ୍ମୀୟ ଓ ବଂଧୁ, 

କିଏ ସେ ଦୋଳି କୋଳେ ବସିବ ଆଗେ, 

ଭଉଣୀ, ଭାଉଜ ନା ମୋ ବାଳିକା ବଧୁ, 

ବରଷାର ଛିଟା, ଦୋଳି କେଁ କଟ କଟ ।। 

ଗାଁ ଏବେ ସହର ସହର ବାସୁଛି, 

ଅତୀତ ସ୍ମୁତି ଆଜି ମନେ ପଡୁଛି, 

ଯାହା କେବେଠୁ ହଜାଇ ମୁଁ ଦେଇଛି, 

ରଜବନ୍ତୀ ମୁହଁ, ରଜ ଦୋଳି ମୋହ, 

ଧିରେଧିରେ ସବୁ ଝାପସା ଲାଗୁଛି । 


ଏସନ ରଜର ମଉଜ ବିବର୍ଣ୍ଣ , 

 ଅଭୁଲା ବାହାନଗା ମାଟି କ୍ରନ୍ଦନ, 

 ଝୁଲଇ ରଜ ଦୋଳି ତଳ ଉପର , 

 କିଏ ଜାଣେ କିଏ ସେ ରହିବ ତଳେ, 

 କିଏ ମାଟି ଛାଡି ମିଶିବ ଶୂନ୍ଯ ର ।। 

 ତଥାପି ରଜ ଆସେ ପାଲିଙ୍କି ଚଢି, 

 ସାଥେ ନେଇ କେତେ ସୌଭାଗ୍ଯ ସମ୍ଭାର ,

 ମାଟିରେ ମେଲିବ ରଙ୍ଗୀନ୍ ବିପଣି, 

 ଏ ଗାଆଁରୁ ଆର ଗାଆଁ ଧାଇଁ ଧାଇଁ, 

 କହିବ ଦେଖା ପୁଣି ଆରବର୍ଷ ର ।। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics