STORYMIRROR

Amarananda Nayak

Drama

3  

Amarananda Nayak

Drama

ମୋ ପ୍ରଶ୍ନରେ କିଆଁ ନିରୁତ୍ତର

ମୋ ପ୍ରଶ୍ନରେ କିଆଁ ନିରୁତ୍ତର

1 min
120


ଭାଙ୍ଗୁ ଭାଙ୍ଗୁ ପୁଣି ଗଢିବାର ହୁଏ,

ଶୈଶବର କେତେ ରୂପେ ବାଲୁବନ୍ତ,

କାଳର ସାଗର ଧୋଇ ନେଇ ଦୂରେ,

ଛାତିରେ ଲୁଚାଇ କରିଛି ଅତୀତ,

ହଜିଲା ଶୈଶବ ମୋତେ କରେ ଅଥୟ,

ଏବେ ସେ ସ୍ମୃତି ଫେରାଇ ଦେବକି କୁହ?

କଳାଟିପା କାହ୍ନା ମୁଣ୍ଡେ ଦଉ ଦଉ,

କାଉ ନେଇଗଲା ସେ କଜଳପାତି,

ହଳଦି କାଠୁଆ ସଜାଡୁ ସଜାଡୁ,

ନେଇଗଲା ଆସି ସେ ବସନ୍ତ ପକ୍ଷୀ,

ବାଳୁତ ଲାଳିକା ସବୁ ଗଲା ହଜି,

କିଏ ଫେରାଇ ଦେବ କି ଆଜି ଖୋଜି?

କୈଶୋର କଳ୍ପ ଲୋକେ ଭାସି ଭାସି,

ଖୋଜିଲି ଲବଙ୍ଗ ଦ୍ବୀପର ରାଜହଂସୀ,

ମୁଁ ଛାଡି ଦେଇଥିଲି ପଂଚ ଶର,

କାହା ଛାତିରେ ବାଜିଲା ଜାଣି ନାହିଁ,

ବୁଣିଦେଇଥିଲି କଥା, ବ୍ଯଥା, କବିତା,

କହିବ, କିଏ କେତେ ରଖିଛି ଗୋଟାଇ?

ସଘନ ବପୁର ମନ ମୁକୁରରୁ,

କାହା କାହା ଛବି କିଂପାଇ ପୋଛିବି?

ନହୁଲି ରଙ୍ଗଣି ବଧୁଲିଅଧରୁ,

ନିଗାଡ଼ି, ସବୁ ମଧୁ ମୁଗ୍ଧେ ପିଇବି।

ଦେହ ବିନା ଦେହୀର ଅଛି କି ଠିକଣା?

କିମ୍ପାଇଁ ଦେଇଥାନ୍ତି ଦୁଃଖ ଯାତନା?

ଯୌବନ ଜଉଘରେ ଜଳି ସିଝିଛି,

ଗର୍ବ, ଅହଙ୍କାର ଜଳାଇ ମାରିଛି।

ପ୍ରକୃତି ପିଆଲାରୁ ସବୁ ରସ ପିଇ,

ସ୍ବ ଇଛାରେ ହୋଇଛି ମୁଁ ମୋହ ମତ୍ତ,

ମରି ମରି ଅବା କାହିଁକି ବଂଚିବି!

ଆଖି ପଲକେ ଯଦି ସମସ୍ତ ଅନ୍ତ?

ଦାମ୍ପତ୍ୟର ଯୁପକାଠିର ସଂସାର,

ଡହଡହ ଦହନେ ସ୍ବପ୍ନ ଅଂଗାର।

ଲୋଡିଛି ମୁକତି ଦମ୍ଭିଲା ଜୀବନ,

ମିଳିଲାନି ଦହନର ନିର୍ବାପନ।

ବିବ୍ରତ, ପିଣ୍ଡବ୍ରହ୍ମାଣ୍ଡ ତୃପ୍ତ ପାଇଁ,

ଏ ପାପ ବା ପୁଣ୍ଯ କିଏ ଦବ କହି?

ଆତ୍ମାର ସ୍ବରୂପ ମୋ ସତ୍ତା ବାହାରେ,

କାହିଁକି ବା ତା ପଛେ ମିଛେ ଧାଇଁବି?

ଜପ, ତପ ବଳେ ମଣିଷ ଜନମ,

ଖାଲି ଭାବି ଭାବି କିଂପାଇ ମାରିବି?

ଜିଇଁ ଥିଲା ବେଳେ କିଏ ଚିହ୍ନେ କେତେ?

ଶ୍ମଶାନେ ଗଡଇ ମିଛ ଲୁହ ଯେତେ।

ଅସ୍ତାଚଳ ତନୁ ବିବର୍ଣ୍ଣ ବେଳାରେ,

କେତେ ବା ଝରଇ ଯୌବନର ରାଗ?

ଢଳନ୍ତା ଆୟୁର ବିଷର୍ଣ୍ଣ କାଳରେ,

କିଏ ହେବ କିଆଁ କେଉଁ ମୋହେ ମୁଗ୍ଧ?

ଶୂନ୍ଯରୁ ଆସିବ ଏବେ ଶେଷ ଠିକଣା,

କେବେ ପହଞ୍ଚିବ କାହାକୁ ବା ଜଣା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama