ସମର୍ପଣ
ସମର୍ପଣ
ସ୍ରଷ୍ଟାଙ୍କ ସୃଷ୍ଟିର' ସର୍ବଶ୍ରେଷ୍ଠ ସୃଷ୍ଟି
ଭବରଙ୍ଗ ମହୀ ତଳେ
ତ୍ରିଦେଵ ଜ୍ଯୋତିର ଉଜ୍ଜ୍ବଳ ଜ୍ଯୋତିଷ୍କ
ପୂଜା ତବ ପାଦ ତଳେ ।
ହେ ଯୁଗ ପୁରୁଷ ଜ୍ଞାନର ପ୍ରକାଶ
ଦ୍ବିତୀୟ ଈଶ୍ବର ଗୁରୁ
ମାଟି ଜଗତର ଅବୋଧ ସନ୍ତାନ
କୋଟି ନମସ୍କାର କରୁ ।
କେଉଁ ଜ୍ଞାନ ବଳେ ପୂଜିବୁ ଗୁରୁ ହେ
ଜ୍ଞାନର ସାଗର ଯିଏ
କେଉଁ ଫୁଲ ଦେଇ ଗୁନ୍ଥିବୁ ମାଳ ଯେ
ପବିତ୍ର କମଳ ସିଏ ।
କେଉଁ ଦୀପ ଜାଳି ତାଙ୍କୁ ବନ୍ଦେଇବୁ
ଜ୍ଯୋତିର ଆଧାର ବିନ୍ଦୁ
କିବା ଉପହାରେ ତୋଷିବୁ ତାହାଙ୍କୁ
ଉପହାର ପୂର୍ଣ୍ଣ ସିନ୍ଧୁ ।
କେଉଁ ଧୂପ ବାସେ ମୋହିବୁ ତମକୁ
ହେ ସର୍ବ ବାସର ଦେହୀ
କେଉଁ ମନ୍ତ୍ର ବଳେ ଡାକିବୁ ଗୁରୁ ହେ
ତମେ ସର୍ବ ମନ୍ତ୍ର ଗ୍ରାହୀ ।
ଆତ୍ମା ଫୁଲ ଦେଇ ପୂଜୁଛୁ ଗୁରୁ ହେ
ସ୍ନେହଶୀଳ ନିଅ ତୋଳି
ଧୂପ ହୋଇ ଜଳି' ସୁଗନ୍ଧ ବାଣ୍ଟି ବି
ଆଶିଷ ଦିଅ ହେ ଢାଳି ।
ଆଖିର ଲୁହରେ ପାଦ ଧୋଇଦେବି
ବଢାଅ ପୟର ତବ
ଭକତି ପ୍ରଣତି' ଦେଲି ଉପହାର
ସାଇତି ରଖିବ ଦେବ ।
ଧନ ମାନ ଜନ ମିଛ ଅଭିମାନ
ଅରପିଲି ତବ ପାଦେ
ନିଜକୁ ସମର୍ପି ଦେଇଛି ପୂଜ୍ୟ ହେ
ଆଦରି ନିଅ ହେ ଶ୍ରଦ୍ଧେ ।
ଜନନୀ ଜନକ ମୋର ଆଦ୍ଯ ଗୁରୁ
ଲେଖିଛନ୍ତି ଭାଗ୍ଯ ରେଖା
ତାଙ୍କ ଆଶିଷରେ ପ୍ରଜ୍ବଳିତ ରହୁ
ଉଜ୍ଜ୍ବଳ ଜୀବନ ଶିଖା ।
