ବିରହ ବେଦନା
ବିରହ ବେଦନା
ଏକାନ୍ତରେ ବସି ଏକା ଏକା ମୁହିଁ
ଭାବୁଛି ତୁମରି କଥା,
ଅଭିମାନୀ ପ୍ରିୟା ଛାଡି ଚାଲି ଗଲ
ଦେଇ ବିରହର ବ୍ୟଥା ।
କାଲିପରି ମୋତେ ଜଣାପଡୁଅଛି
ତୁମେ ଥିଲ ମୋ ସାଥିରେ,
କଥା ଥିଲା ଆମ ଜନମ ଜନମ
ରହିବା ଏକସଙ୍ଗରେ ।
ପ୍ରଥମ ଦେଖାରେ ବନ୍ଧୁ ସାଜିଥିଲୁ
ବାଣ୍ଟିବାକୁ ସୁଖ ଦୁଃଖ,
ବନ୍ଧୁତା ଆମର ପ୍ରେମ ପାଲଟିଲା
ନ ଥିଲୁ କେହି ବିମୁଖ ।
ଦୁଇଟି ହୃଦୟ ଏକ ହୋଇଥିଲା
ନମାନି କହା ଆକଟ,
କେହି କହାରିକୁ ଦଣ୍ଡେ ନ ଦେଖିଲେ
ହେଉଥିଲୁ ଛଟପଟ ।
ତୁମ ସ୍ମୃତିସବୁ ମନେ ପଡିଗଲେ
ଫାଟି ଯାଏ ହିଆ ମୋର,
ସ୍ଵାର୍ଥପର ହୋଇ ଛାଡିଚାଲିଗଲ
କରିଦେଇ ସାତପର ।
ଅମଡା ବାଟର ପଥିକ ସାଜିଛି
ଗନ୍ତବ୍ୟ ମୋ ଲକ୍ଷ୍ୟହୀନ,
ଶତଚେଷ୍ଟା କଲେ ଭୁଲି ପାରୁନାହିଁ
ବିତିଥିବା ସୁଖଦିନ ।
ଶାଢ଼ୀ ଶଙ୍ଖ। ପିନ୍ଧି ଝଟକୁ ଥିବ ଗୋ
ଭୁଲି ଯାଇଥିବ ମୋତେ,
ତୁମର ଚେହେରା ଆଖିରେ ନାଚୁଛି
ପାଶୋରି ଯିବି କେମନ୍ତେ ।
ତୁମବିନା ପ୍ରାଣ ବଞ୍ଚିବା ଦୂରହ
ଦୁନିଆ ଲାଗୁଛି ପିତା,
ବାକି ଜୀବନକୁ ବିତାଇ ଦେବି ଲୋ
ଭାବି ଭାବି ତୁମ କଥା ।
ବିରହ ନିଆଁରେ ବଞ୍ଚି ରହିଛିଲୋ
ପଥର କରି ମୋ ଛାତି,
ଯେଉଁଦିନ ମୁହିଁ ଜଳିବି ଚିତାରେ
ଜଳିଯିବ ତୁମ ସ୍ମୃତି ।
ମୋ ଜୁଇ ପାଖକୁ ଆସିବ ହେ ପ୍ରିୟା
ଏହା ମୋର ଇଚ୍ଛା ଶେଷ,
ସବୁଦିନ ପାଇଁ ଶାନ୍ତିରେ ଶୋଇବି
ଲଭିଯିବ ଅବଶୋଷ ।
