STORYMIRROR

Chittaranjan Parida

Inspirational

4  

Chittaranjan Parida

Inspirational

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
213

(କଥା-କବିତା)


କାହିଁକି ପଚାର ବନ୍ଧୁ

ରାମରାଜ୍ୟ କେତେ ଦୂର ?

ତୁମକୁ ଜଣାଥିବ

ସ୍ଵପ୍ନଥିଲା ଗାନ୍ଧିଜୀଙ୍କ

ଯେଉଁ ଦିନ ଅବଳାଟି

ଅର୍ଦ୍ଧରାତ୍ରିରେ ରାଜରାସ୍ତାରେ

ନିର୍ଭୟରେ ବୁଲିପାରୁଥିବ

ଜାଣିବା ସେଦିନ ରାମରାଜ୍ୟ

ଆସିଛି ନିକଟ ।

କହିବକି ବନ୍ଧୁ ଆଜି

ନାରୀ କେତେ ସୁରକ୍ଷିତ?

କନ୍ୟାରତ୍ନଟି ଯେତେବେଳେ

ପିତ୍ରାଳୟେ ଜନ୍ମନିଏ

ଆନନ୍ଦରେ ପିତାମାତା ଆତ୍ମହରା ହୋଇ

କହିଥାନ୍ତି ସରଗରୁ ଆସିଅଛି ପରୀ,

ସ୍ନେହ ମମତାର ସ୍ପର୍ଶରେ

ପରୀ ବଢେ ଶଶୀକଳା ପରି

ଯେତେ ବଢୁଥାଏ

ବାପାମାଆ ସୁରକ୍ଷା ଚିନ୍ତାରେ

ହୁଅନ୍ତି ଅସ୍ତବ୍ୟସ୍ତ

କାହିଁକିନା ଆଜିର ସମାଜରେ

କୁନିକୁନି ପରୀମାନଙ୍କୁ

ଚକଲେଟ୍ ଲୋଭେ ନିକାଞ୍ଚନେ ନେଇ

କାମାନ୍ଧ ପିଶାଚ ଲାଳସା ମେଣ୍ଟାଇ

କ୍ଷତାକ୍ତ ରକ୍ତାକ୍ତ କରିଦିଏ

ଅବା ତଣ୍ଟି ଚିପିଦିଏ।

କୁନିପରୀ ଫଗୁଣକୁ ଡେଇଁ ଡେଇଁ

ଷୋହଳ ବସନ୍ତ ଡେଇଁ ଯାଏ

ପାଦଥାପେ ଯୌବନର ଖସଡ଼ା ପଥରେ

ରୂପ ଲାବଣ୍ୟର କାନ୍ତିରେ

ଆକର୍ଷିତ କରେ ଜନମାନସକୁ

ବାପାମାଆଙ୍କ ନଜରରେ କଣ୍ଢେଇ ରାଣୀ

ହେଲେ ନିଦ ହଜିଯାଏ

ସୁରକ୍ଷା ଚିନ୍ତାରେ।

କାହିଁକିନା ସେମାନେ ଜାଣନ୍ତି

ଛବିରାଣୀ ହତ୍ୟାକାଣ୍ଡ

ନିର୍ଭୟାର ଗଣବଳାତ୍କାର

କୁନ୍ଦୁଲି ଲଳନାର ପାଶବିକ ଅତ୍ୟାଚାର

କାହିଁ କେତେ କଲେଜ ଛାତ୍ରୀଙ୍କୁ

ସ୍ପଷ୍ଟ ଦିବାଲୋକେ କରି ଅପହୃତ

ଦୁଷ୍କର୍ମର କରନ୍ତି ଶୀକାର

ମିଳେ ତାଙ୍କ ରକ୍ତସ୍ନାତା ଶବ

ଅବା ବେହୋସ ଶରୀର।

ନାରୀ ଆଜି ପଣ୍ୟ

ଲାଞ୍ଛିତ ଅସୁରକ୍ଷିତ

ଗାନ୍ଧିଜୀଙ୍କ ସ୍ଵପ୍ନ ବହୁଦୂର

ସମାଜ ଯେଉଁ ଦିନ ନାରୀଜାତିକୁ

ଆଦିମାତା ଦୂର୍ଗା ରୂପେ

ସ୍ଥାପିବ ନେତ୍ରରେ

ରାମରାଜ୍ୟ ଆସିବ ସତ୍ଵରେ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational