STORYMIRROR

Chittaranjan Parida

Others

3  

Chittaranjan Parida

Others

ମୋ ଗାଆଁ

ମୋ ଗାଆଁ

1 min
196

ସୁନ୍ଦର ମୋ ଗାଆଁଟି

ସୁନ୍ଦର ମୋ ଗାଆଁଟି

ଖୋଜି ଆସିଲେ ଜଗତସାରା

ସରିହେବେନି କେହିତ ପରା

ସେଇ ମୋ ଭିଟାମାଟି।୦।

ମହୋଦଧି ତା ମସ୍ତକ ଛୁଏଁ

ସୁବର୍ଣ୍ଣରେଖା ପୂର୍ବରେ ଧାଏଁ

ଝାଉଁ ବନାନୀ ଶୋଭା ମଣ୍ଡଇ

ସବୁଜ କ୍ଷେତ ମନ ହରଇ

ମେଖଳା ସାଜି କଟି ଦେଶରେ

     ଶୋଇଛି ଗାଁ ଦାଣ୍ଡଟି।୧।

ଜଳିଛି ମୋର ଏନ୍ତୁଡି ନିଆଁ 

ଛାତିରେ ତା'ର ମାରିଛି ଡିଆଁ

କାଟିଛି ମୁହିଁ ମୋ ପିଲାବେଳ 

ସାଙ୍ଗ ମେଳରେ ଖେଳିଛି ଖେଳ

ବଣରୁ ତୋଳି କେତେ ଯେ ଫଳ

     ଖାଇଛି ମୁଁ ସାଉଁଟି।୨।

ସକାଳ ହେଲେ ସିନ୍ଦୁରା ଫାଟେ

ନାଲି ମୁରୁଜ ସୂରୁଜ ଛାଟେ

ଲଙ୍ଗଳ ଧରି ହଳିଆ ଭାଇ

କ୍ଷେତକୁ ଯାଏ ବଳଦ ନେଇ

ଡାହୁକ କାକ ରାବରେ କମ୍ପେ

    ଗାଁର ଚଉଦିଗଟି ।୩।

ସରଳ ଅତି ମୋ ଗାଁ ଲୋକ

ବିପଦ ବେଳେ ହୁଅନ୍ତି ଏକ

ସନ୍ଧ୍ୟା ହୋଇଲେ ମୋ ଗାଁ ରମଣୀ

ଚଉରା ମୂଳେ ଦେଇ ଓଢଣୀ

ବଇଠା ଜାଳି ଦିଅନ୍ତି ସ°ଜ

    ଶୁଭେ ଶ°ଖ ରାହାଟି।୪।

ଯାନିଯାତରା ଦୋଳ ମେଲଣ

ରଜ ପୁନେଇ ଦୋଳି ଝୁଲଣ


ଦଶହରା ପର୍ବ ଦୀପାବଳୀ

ବାରୁଣୀସ୍ନାନ ପାଲାର ମେଳି

ଜାତିଜାତିକା ପିଠା ପଣାର

    ବାସଯାଏ ଚହଟି।୫।

ପରବାସରେ ରହିଛି ମୁହିଁ

ଜୀବନ ଜୀବିକା ଧରି ତହିଁ

ଡାକଇ ମୋତେ ମୋ ଭିଟାମାଟି

କର୍ମ ସରିଲେ ଯିବି ଧାଇଁଟି

ଶେଷ ଜୀବନ ବିତିବ ସେଠି

    ଜଳିବ ମୋ ଚିତାଟି।୬।

  .



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍