ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି
ଅଶରୀରୀ ଆତ୍ମା
ଆଜାନୁଲମ୍ଵିତ କେଶରାଶି
ଧଳା ଲୁଗାର ଆବରଣରେ
ହଠାତ୍ ପାଦଚଲା ପଥିକର ସାମ୍ନାରେ
ଗୁମସୁମ୍ ହୋଇ ଛିଡା ହୋଇଯାଏ
କିବା କେଉଁ କାଳରୁ ପରିତ୍ୟକ୍ତ କୋଠିରୁ
ଅମାବାସ୍ୟା ରାତ୍ରରେ
ଭାସିଆସେ ଛାତିଥରା ବିକଟାଳ ଶବ୍ଦ
ତନ୍ତ୍ରିକୁ ଥରାଇ
ଅବା କେବେ ଆଲୋକ ପିଣ୍ଡୁଳା
ଧୀରେ ଧୀରେ ମାଡିଆସେ
ଗାଁ ମୁଣ୍ଡ ଗୋହିରୀ ମଥାକୁ
ସିଏ ପ୍ରେତାତ୍ମା,
ସେଦିନ ସେହି ପ୍ରେତାତ୍ମା କୋଠିକୁ ଯାଇ
କେତେ ଲୋକ ଅଫେରା
କେହି ହିସାବ ରଖିନି
କିନ୍ତୁ ଶ୍ରୁତ
କୋଠିଟି କୁଆଡେ ମୃତ୍ୟୁର ସୌଦାଗର
ଏ ଘଟଣା କେଉଁ କାଳର
କେତେ ସତ କେତେ ମିଛ
କେବଳ କଥିତ, ଧାରାବାହିକ।
ଆଜି ସେହି ଜରାଜୀର୍ଣ୍ଣ କୋଠି ଅଛି
କାହିଁ ସେହି ପ୍ରେତାତ୍ମା?
ଯଦି ଥାଆନ୍ତା
ରାତି ହେଲେ ନିଶାସକ୍ତ ଜୀବାତ୍ମାମାନଙ୍କ
ଆଡ୍ଡା ଜମୁ ନଥାନ୍ତା
ପୁଣି କେବେକେବେ
ଦୁଷ୍କର୍ମ ପିଡୀତାର କ୍ଷତାକ୍ତ
ପ୍ରାଣହୀନ ପିଣ୍ଡ
ବୋତଲଗୁଡିକ ଗହଣରେ
ପରିତ୍ୟକ୍ତ ହୋଇ ମିଳୁ ନଥାନ୍ତା ।
କଥିତ ପ୍ରେତାତ୍ମା କୋଠିରେ ଆଜି
ଅସାମାଜିକ ସଜୀବ ଆତ୍ମାମାନେ
କରନ୍ତି ରାଜତ୍ଵ
ଯେଉଁଠି ହତ୍ୟା ବଳାତ୍କାର
ଆଉ ଲୁଣ୍ଠନ ହୁଏ ପ୍ରସ୍ତାବିତ।

