STORYMIRROR

Jayashree Das

Horror

4  

Jayashree Das

Horror

ହରର୍

ହରର୍

2 mins
302


ନିଛାଟିଆ ଏକ ନିଶୁନ ରାତିରେ,

ଗାଁ ମୁଣ୍ଡ ବରଗଛେ.

ଦୂରରୁ ଦେଖିଲି ଆଲୁଅ ଜଳୁଛି,

ଦପ ଦପ ହୋଇ ଦିଶେ.


ଗାଡିଟି ମୋହର ଅଟକାଇ ଦେଲି

କିଛି ଦୂର ଗଲାପରେ,

ଭାବିଲି ଗାଁରେ ବିଜୁଳି ତ ନାହିଁ,

କି ଆଲୁଅ ହୋଇପାରେ ?


ମନେ କୌତୁହଳ ଜାଣିବା ପାଇଁକି,

ଅନାଇଲି ଚାରିଆଡେ.

ଅନ୍ଧାର ରାଜୁତି କେହି ଦେଖାନାହିଁ,

ସବୁ ଶୋଇଲେଣି କଡେ କଡେ.


ସହରୁ ଆସିଛି ଗାଁଆ ବନ୍ଧୁ ଘରେ,

ଅଛି ଏକ ବିଭାଘର .

ଆସୁ ଆସୁ ଟିକେ ଡେରି ହୋଇଗଲା,

 ନିଶବ୍ଦ ଏ ଅନ୍ଧକାର.


ଭାବିଲି ଗଛରେ କି ଆଲୁଅ ଇଏ,

ଜିଜ୍ଞାସା ବଢିଲା ମୋର.

ପାଦେ ପାଦେ ପାଦ ପକାଇଲି ମୁହିଁ,

ବରଗଛ ସମୀପର.


ହାତେ ମୋବାଇଲି ଆଲୁଅ ଦେଖାଇ,

ପହଞ୍ଚିଲି ଗଛମୂଳେ.

ଉପରେ ଦେଖିଲି ବସିଛି ତରୁଣୀ,

କେଶବତୀ କନ୍ୟାଟିଏ.


ଗୋଡ଼ ଦୁଇ ତାର ଲମ୍ବାଇ ଦେଇଛି,

ଏ ଡାଳରୁ ସେ ଡାଳକୁ.

କୋଳରେ ଶୋଇଛି କୁନି ଶିଶୁଟିଏ,

ତରୁଣୀ ସେକୁଛି ତାକୁ.


କେଶରେ ଲୁଚିଛି ତାହାରି ବଦନ,

ତଳକୁ କରିଛି ମୁହଁ.

ଆଶ୍ଚର୍ଯ୍ୟ ହୋଇଲି ପଚାରିଲି ତାକୁ ,

କିଏ ତୁମେ ମୋତେ କୁହ.


ଅନ୍ଧାର ରାତିରେ ଗଛରେ ବସିଛ,

ଛୋଟ ପିଲାଟିଏ ଧରି.

ଏ କି ଆଚମ୍ବିତ ଆଉ କେହିନାହିଁ,

ନାରୀଟିଏ ହୋଇକରି.


ଯେତେ ମୁଁ କହିଲି ଶୁଣିଲା ନାହିଁ ସେ,

ବସିଥାଏ ପୂର୍ବପରି.

ହଠାତ ଲିଭିଲା ଗଛର ଆଲୁଅ,

ଅଟ୍ଟହାସ୍ୟ ଗଲା ଭରି.


ଚମକି ପଡିଲି ହସର ଶବଦେ,

ପାଶେ ଅନୁଭବ କଲି .

କେହି ବୋଧେ ମୋର ପଛରେ ହସୁଛି,

ମୁହଁକୁ ବୁଲାଇଦେଲି.


ହାତରେ ମୋହର ମୋବାଇଲ ଆଲୁଅ,

ଦେଖିଲି କି ଭୟଙ୍କର.

କେଶବତୀ କନ୍ୟା ଆଖି ଜଳୁଅଛି,

ସତେ ଜଳନ୍ତା ଅଙ୍ଗାର.


ବିକଟାଳ ହସ ବାହାରିଛି ଦାନ୍ତ,

ନାକ ସ୍ଥାନେ ଗର୍ତ୍ତ ଦୁଇ.

ଲୋମରେ ଭରିଛି ହାତ ଦୁଇଗୋଟି,

ଯାଇଛି ଭୂଇଁକୁ ଛୁଇଁ.


ଭୟଙ୍କର ରୂପ ଦେଖିଲି ତାହାର,

ଭୟରେ ଅସ୍ଥିର ହୋଇ.

ଦଉଡି ଆସିବି ବାହାରିଲି ସିନା,

ଗୋଡ଼ ମୋ ଚଳିଲା ନାହିଁ.


ଅନ୍ଧାର ଭିତରେ ଝାପ୍ସା ଆଲୁଅରେ,

ଆଖି ଯେତେଦୂର ଗଲା,

ଗୋଟିଏ ନୁହଁଇ ଏକାଧିକ ନାରୀ,

ଚତୁଃର୍ଦିଗେ ଉଭାହେଲା.


ବିଭତ୍ସ ରୂପକୁ କାନଫଟା ହସ,

କଲିଜା ମୋ ପାଣି ହେଲା.

ଲାଗିଲା ଯେମିତି ଶୂନ୍ୟରେ ଉଡ଼ୁଛି,

ଚେତା ମୋର ବୁଡିଗଲା.


ଶୁଣି କୋଳାହଳ ଶୀତଳ ପରଷ,

ପାଇ ଆଖି ଖୋଲି ଦେଲି.

ଦିନ ଦୁଇଘଡି ହୋଇଲାଣି ଆସି,

 ଅନେକ ଲୋକ ଦେଖିଲି.


ପାଶେ ଶିବାଳୟ ଘେରିଛନ୍ତି ଲୋକେ,

ଦେହରେ ଭୀଷଣ ପୀଡା.

ବନ୍ଧୁଙ୍କୁ ଦେଖିଲି ମନ ଦୁଃଖ କରି,

ପାଖେ ହୋଇଛନ୍ତି ଛିଡା.


କହିଲେ ବୁଝାଇ ପଡ଼ିଥିଲି ମୁହିଁ,

ଗାଁ କିଆ ଗୋହିରୀରେ.

ସେଇଟା ମଶାଣୀ ଅଛି ପିଶାଚୁଣୀ,

ଛୁଆ ସେକେ ଅନ୍ଧାରରେ.


ଯିଏ ଦେଖେ ତାକୁ କରେ ହଇରାଣ,

ମାରିଦିଏ ଜୀବନରେ.

ତୁମ ଭାଗ୍ୟ ଭଲ ବଞ୍ଚି ଯାଇଅଛ,

ମହାଦେବ ପାଦୁକରେ.


ମନେ ପଡିଗଲା ରାତିର କାହାଣୀ,

ବରଗଛର ତରୁଣୀ.

ବିଜ୍ଞାନର ଛାତ୍ର ହୋଇଲେ ବି ମୁହିଁ,

ଭୟରେ ନାସ୍ପୁରେ ବାଣୀ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror