STORYMIRROR

Jayashree Das

Classics

4  

Jayashree Das

Classics

ନୀଳ ସିନ୍ଧୁ ତୀରେ ନୀଳାଦ୍ରୀ ନାଥ

ନୀଳ ସିନ୍ଧୁ ତୀରେ ନୀଳାଦ୍ରୀ ନାଥ

1 min
32


ନୀଳ ସିନ୍ଧୁ ତୀରେ ନୀଳାଦ୍ରୀ ନାଥ

ପତିତପାବନ ଉଡ଼ାଇ ନେତ,

କୋଳେଇ ନେବାକୁ ଭକତ ଗଣକୁ

ବଢ଼ାଇ ଦେଇଛି ତା ଦୁଇ ହାତ.


ନୀଳ ଶଇଳର ନୀଳାଦ୍ରୀ ସିଂହ

ନୀଳାଞ୍ଚଳ ବାସୀ ସେ ଦାରୁଦିଅଁ,

ଚତୁଃବର୍ଗ ଫଳ ମିଳଇ ଲୋ ସଖି 

ଦରଶନ କଲେ ତା କଳା ମୁହଁ.


ନୀଳ ନୀରଦକୁ ଜିଣି ତା କାନ୍ତି

ମନ ବଡିଶୀକୁ ଟାଣଇ ନିତି,

ଚରଣେ ତାହାର ଶରଣ ପଶିଲେ

ମିଳଇ ପ୍ରାଣକୁ ଆତ୍ମତୃପତି.


ଜଗତର ନାଥ ପରାଣ ମିତ

ସବୁ ମିଛ ଅଟେ ଏକା ସେ ସତ

ମନ ପ୍ରାଣ ଆତ୍ମା ସମର୍ପଣ କଲେ

ମୁକତି ଦିଅଇ ସେ ପରମାର୍ଥ.


ବସିଅଛି ସିଏ ବଡ଼ ଦେଉଳେ

ପଣ୍ଡା ପଢିହାରୀ ଭକ୍ତ ଗହଳେ,

ଷାଠିଏ ପଉଟି ଖାଉଛି ସେ ନିତି

ବଡ଼ ଭାଈ ଗେଲ୍ଲୀ ଭଉଣୀ ମେଳେ.


ଲକ୍ଷ୍ମୀ ସାଆନ୍ତାଣୀ ସହଧର୍ମିଣୀ

ସାରା ସଂସାରର ପଡି କାରିଣୀ,

ରୋଷଇ କରନ୍ତି ପାକଶାଳା ଗୃହେ

ସୁବର୍ଣ୍ଣ ତିଆରି ଚଟୁ ଧାରିଣୀ.


ଆନନ୍ଦ ବଜାରେ କୈବଲ୍ୟ ହାଟ

ଅବଢ଼ା ବାଣ୍ଟୁଛି ଲଗାଇ ନାଟ,

କଣିକାଏ ଦେଲେ ତୁଣ୍ଡରେ ନେଇ

ଫିଟିଯାଏ ପରା ମୋକ୍ଷର ବାଟ.


ଏମିତି ଠାକୁର ଦେଖିଛ କାହିଁ

ଆଖିରେ ପଲକ ପଡଇ ନାହିଁ,

ଦିନ ରାତି ଦୁଃଖୀ ଦୁଃଖ ଶୁଣୁଅଛି

ମୁରୁକି ହସରେ ନେଉଛି ମୋହି.


ମଣିଷ ପରିକା ଲୀଳା ତାହାର

ବାରମାସେ ତେର ଯାତରା ତାର

ରସିକ ଠାକୁର ରହସ୍ୟରେ ଘେରା

ପୂର୍ଣ୍ଣବ୍ରହ୍ମ ଅଟେ ତା କଳେବର. ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics