ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଜନମ ହୋଇଲେ ମରଣ ନିଶ୍ଚିତ
ପୁନର୍ଜନ୍ମ ପାଏ ଆତ୍ମା
ଭାଙ୍ଗି ରୁଜି ଯାଏ ସ୍ୱପ୍ନ ବାଲିଘର
ଗଢ଼ିବା ଜାଣେ ଧରମା ।
ମାଠିମୁଠି ସିଏ ନିହାଣ ତୂଳିରେ
ଭାବକଳ୍ପେ ଦିଏ ରୂପ
ନିଖୁଣ ଶବଦେ ପାଷାଣ ଦେହରେ
ଆଙ୍କେ ଜୀବନ୍ତ ସ୍ୱରୂପ ।
ଆତ୍ମା ନିର୍ବିକଳ୍ପ ସାକ୍ଷୀ ରୂପେ ସଦା
ଜଡ଼ ପିଣ୍ଡେ ବିଦ୍ୟମାନ
କରମ ଧରମେ ତାହାର ସନ୍ତୁଷ୍ଟି
ଅକର୍ମେ ହୁଏ ଅତୃପ୍ତ ।
ହିଂସା ଅତ୍ୟାଚାର ଖେଳାଏ ଆତଙ୍କ
ବିଧ୍ୱସେ କୀରତିରାଜି
ଭଗ୍ନ କୋଣାରକ ଦିବ୍ୟ ଚାରୁକଳା
କାଳ ଗର୍ଭେ ଯାଏ ହଜି ।
ବିନା ପରିଶ୍ରମେ ଠକି ଭଣ୍ଡି କିଏ
ବୋଲାଉଛି ବଡ଼ଲୋକ
ସାତ ପୁରୁଷକୁ ଜମା କରି ପୁଞ୍ଜି
ତଥାପି ଶୋଷଇ ରକ୍ତ ।
ହତାଶ ଅଭାବେ ହି୦ସା ବଳାତ୍କାରେ
ମରୁଛି ନିରୀହ ନୀତି
କାମନା ବାସନା କୁତ୍ସିତ କୁକର୍ମେ
ପିଶାଚ ରହନ୍ତି ମାତି ।
ପେଟ ବିକଳରେ କାନ୍ଦଇ ଗରୀବ
କପାଳରେ ଦିଏ ହାତ
ବଞ୍ଚି ଥାଉ ଥାଉ ମରେ ସେ ନିଇତି
ତା ଆତ୍ମା ହୁଏ ଅତୃପ୍ତ ।
ସମାଜରେ ରହୁ ଶାନ୍ତି ଓ ଶୃଙ୍ଖଳା
ସହଯୋଗ ସଦଭାବ
ସଦଗତି ଲଭନ୍ତୁ ସକଳ ଆତମା
ହେଉ ମୃତ ବା ଜୀବିତ ।
ପ୍ରଭୁ ନୀଳକଣ୍ଠ ହୁଅନ୍ତୁ ସହାୟ
ହଳାହଳ ହେଉ ନାଶ
ନ ଭୋଗନ୍ତୁ କେହି ନରକ ଯନ୍ତ୍ରଣା
ଆତମା ସୁଲଭୁ ମୋକ୍ଷ ।