ଗାଁଟି ମୋର ଅତି ସୁନ୍ଦର
ଗାଁଟି ମୋର ଅତି ସୁନ୍ଦର


ବାଳାର୍କ ବୁଣୁଛି ସ୍ବର୍ଣ୍ଣାଭ କିରଣ
ମୁକ୍ତାର ଭ୍ରମେ ଶିଶିର ,
ମଳୟ ଗାଉଛି ପ୍ରଭାତୀ ସଙ୍ଗୀତ
ଅନନ୍ୟ ଅନୁଭବର ।
ବନ ଉହାଡରୁ ପକ୍ଷୀଙ୍କ କାକଳି
ସୃଷ୍ଟିକରେ ବଂଶୀସ୍ବନ ,
ମଧୁର ରାଗିଣୀ ଭାସିଭାସି ଆସେ
ଉଲ୍ଲସିତ କରେ ପ୍ରାଣ ।
ନିସର୍ଗ ଉଦ୍ୟାନ ମୋହରି ଗାଁଆଟି
ସତେ ଅବା ରଙ୍ଗଭୂମି ,
ନବବିଭୂଷଣେ ଅଳଂକୃତା ହୋଇ
ବିହରେ ପ୍ରକୃତିରାଣୀ ।
ଋତୁ ପରେ ଋତୁ କାୟା ବିସ୍ତାରନ୍ତି
ମୋର ଗାଁଆ ବୁକୁପରେ ,
କୁଳୁକୁଳୁ ନାଦେ ବହେ ନିର୍ଝରିଣୀ
ତରଙ୍ଗାୟିତ ଗତିରେ ।
ଗ୍ରାମ ଉପାନ୍ତରେ ବୃଦ୍ଧ ବଟବୃକ୍ଷ
ସନ୍ନ୍ୟାସୀର ରୂପ ନେଇ ,
ସତେ ଭୋଳାନାଥ ତପସ୍ୟା କରନ୍ତି
ମୌନବ୍ରତେ ବ୍ରତୀ ହୋଇ ।
ରୌଦ୍ର ପ୍ରଚଣ୍ଡତା ବ୍ୟାହତ ହୁଅଇ
ତା'ର ଘନବନାନୀରେ ,
ସାୟଂ ସମୀରଣ ଜନଜୀବନରେ
ଶୀତଳତା ଭାବ ଭରେ ।
ବରଷା ପରଶେ ସୁଷମା ମଣ୍ଡିତ
ହୋଇଥାଏ ତା'ର ବକ୍ଷ,
ନୀରସ ଧୂସର ନିଷ୍ପ୍ରାଣ ହୃଦୟେ
ପଡେ ଶ୍ୟାମଳିମା ଲେପ ।
ଶ୍ୟାମ ଦୁର୍ବାଦଳେ ସାଧବବୋହୂର
ମନ୍ଥର ମନ୍ଥର ଗତି ,
ସବୁଜ ଗାଲିଚା ଉପରେ ସତେକି
ବିହି ମଣିକୁ ଖଞ୍ଜିଛି ।
ଝିଙ୍କାରୀର ସ୍ବର ମଣ୍ଡୁକର ରାବ
କୁହାଟ ଛାଡେ ଡାହୁକ ,
ଓଳିପାଣି ସ୍ରୋତେ କାଗଜ ଡଙ୍ଗାର
ଶୋଭା କରେ ବିମୋହିତ ।
କାଶତଣ୍ଡୀ ହସେ ନଦୀର ପଠାରେ
ବର୍ଷାକୁ ଦେଇ ବିଦାୟ ,
କଦମ୍ବର କାନ୍ତି ଶୁଭ୍ର ଶରତକୁ
କରଇ ସୌନ୍ଦର୍ଯ୍ୟମୟ ।
ହେମନ୍ତ ହଳଦୀ ମାଖି ଦେଇଥାଏ
ପାଚିଲା ଧାନକ୍ଷେତରେ ,
ଚାଷୀପୁଅ ମୁଖେ ହସର ଫୁଆରା
କିଏ ଅବା ବର୍ଣ୍ଣିପାରେ ?
ହିମ ସବାରିରେ ଫୁଲର ରୋଶଣୀ
କରି ଆସେ ଶୀତ ରାଣୀ ,
ଶୁଭ୍ରପାଟେ ତନୁ ଢାଙ୍କିଥାଏ ତା'ର
ଥରାଇ ଦିଏ ଅବନି ।
ମଳୟ ବହଇ ଦକ୍ଷିଣ ଦିଶାରୁ
ପଲ୍ଲବି ଉଠନ୍ତି ତରୁ ,
ଆମ୍ରକୁଞ୍ଜେ ପିକ କୁହୁତାନ କରେ
ଅଳୀ ଖୋଜେ ମଧୁରେଣୁ ।
ନବ ନବ ରୂପେ ଆବିର୍ଭୂତ ହୁଏ
ମୋ ଗାଁଆ ଶୋଭା ସମ୍ପଦ,
ରୀତି ନୀତି ଆଉ ସଂସ୍କାରରେ ସଦା
ହୋଇଥାଏ ସୁଶୋଭିତ ।
ମୋ ଗାଁଆ ଆକାଶେ ତୋଫାଜହ୍ନ ହସେ
ଶୀତଳ ଜୋଛନା ବୁଣି ,
ଚୋରା ମଳୟଟା ଥିରିଥିରି ଆସି
ଶୁଣାଏ ପ୍ରୀତି ରାଗିଣୀ ।
ସେ ରାଗିଣୀ ସୁରେ ଗୁଞ୍ଜରି ଉଠଇ
ସୁମଧୁର ବାଣୀ ତା'ର ,
ଭୁଲି ଯିବୁନାହିଁ ତୋର ପିଲାଦିନ
ସ୍ନେହ ଓ ମମତା ମୋର ।