ପୋଷା ହାତୀ ଗଲା ରାଗି
ପୋଷା ହାତୀ ଗଲା ରାଗି
ବିଗତ ଦିନର ନିଚ୍ଛକ ଘଟଣା
ପଡିଗଲେ ମନେ ଆଜି
ରୋମମୂଳ ସବୁ ଉଠଇ ଟାଙ୍କୁରି
ଭୟାନକ ଦୃଶ୍ୟ ହେଜି ।
ସ୍ଥାନ ହୀରାକୁଦ ସହର ଅଞ୍ଚଳ
ସମୟ ଦିନ ଦୁଇଟା
ମାହୁନ୍ତ ସହିତ ବୁଲୁଥିଲା ସୁଖେ
ଏକ ମସ୍ତ ହାତୀ ଦନ୍ତା ।
ପୋଷା ହାତୀ ଦେଖି ଦେଉଥିଲେ ଭେଟି
ଖାଦ୍ୟ କଦଳୀ ନଡ଼ିଆ
ମୁଣିରେ ସାଇତି ସାମଗ୍ରୀ ମାହୁନ୍ତ
ଭାବୁଥିଲା ଚାଲାକିଆ ।
ଦୈବାତ୍ ହୋଇଲା ମାହୁନ୍ତର ଭେଟ
ଶିକ୍ଷକ ରାମବିଳାସ
ଦୁହିଁଙ୍କର ଗାଆଁ ଥିଲା ପାଖ ପାଖ
ରାଜ୍ୟ ଉତ୍ତରପ୍ରଦେଶ ।
ହେଲେ ଗପସପ ବହୁତ ସମୟ
ହାତୀ ହୋଇଥିଲା ଠିଆ
କହିଲେ ମାଷ୍ଟର ହେଲା ଚିହ୍ନାଜଣା
ହେଉ କପେ କପେ ଚାହା ।
କହିଲା ମାହୁନ୍ତ ହାଲିଆ ହେଲାଣି
ଖରାତରା ବୁଲି ହାତୀ
ମାର ଗୋଲି ତାକୁ ହାତୀ ହେଉ ଫାତି
ଜମିବ ହିଁ ଚାହା ଖଟି ।
ଭିଡ଼ି ଟାଣୁଥିଲେ ମାହୁନ୍ତ ହାତକୁ
ଶିକ୍ଷକ ରାମବିଳାସ
ରାଗିଗଲା ହାତୀ ହଠାତ୍ ପ୍ରବଳ
ମୁଣ୍ଡରେ ଚଢ଼ିଲା ବିଷ ।
ଥୋଡ଼ରେ ତାହାର ଓଟାରି ଧରିଲା
ମାହୁନ୍ତ ଢିଲା ପଞ୍ଜାବୀ
ମାନିଲାନି ଜମା ମାହୁନ୍ତର କଥା
କଲା ଢିମା ଆଖି ନାଲି ।
ଲୁଗାପଟା ଛାଡ଼ି ଧାଇଁଲା ମାହୁନ୍ତ
ଜୀବନ ବିକଳ ହୋଇ
ଛପିଲା ଗୋଟିଏ କୋଠା ବାସଗୃହେ
ଝରକା କବାଟ ଡେଇଁ ।
ହୋଇ କୋପାନଳ ମତ୍ତ ଦନ୍ତାହାତୀ
ଚଳାଇଲା ମହାବାତ୍ୟା
ଭାଙ୍ଗିଲା ଦୋକାନ ଇଲେକ୍ଟ୍ରୀ ଖୁଣ୍ଟକୁ
ବାଟେ କରିଥିଲା ବଙ୍କା ।
ପଶିଲା ଗହଳି ବଜାର ଭିତରେ
କ
ରିଲା ଦଳାଚକଟା
ମଲେ କିଛି ଲୋକ ହୋଇଲେ ଘାଇଲା
ଗୋଡ଼ ଭାଙ୍ଗି ହେଲେ ଛୋଟା ।
ରହିଥିଲା ଥାନା ସନ୍ନିକଟେ ବହୁ
ଚଳ ଓ ଅଚଳ ଗାଡି
ଶୁଣ୍ଢେ ଠେଲି ଠେଲି କାନ୍ଥରେ ବାଡେଇ
ଭାଙ୍ଗି ଦେଲା ମୋଡିମାଡି ।
ଲୋକଙ୍କୁ ସତର୍କ କରିବା ନିମନ୍ତେ
ସହରର ପ୍ରଶାସନ
ଡାକବାଜି ଯନ୍ତ୍ରେ କରିଲା ପ୍ରଚାର
ରୁହ ଜନେ ସାବଧାନ ।
ଗୋଡାଇଲା ଦନ୍ତା ମଟର ଗାଡିକୁ
ଶୁଣିପାରି ଉଚ୍ଚ ଶବ୍ଦ
ଖଣ୍ଡେ ଦୂର ପରେ ହୋଇଲାରୁ ସନ୍ଧ୍ୟା
ଶୋଇଗଲା ଲମ୍ବଖମ୍ବ ।
ତାପରେ ସକାଳୁ ଚଳାଇଲା ପୁଣି
ଆତଙ୍କର ଅଭିଯାନ
ରାସ୍ତା ଦୁଇ ପାର୍ଶ୍ୱ ଠେଲି ପେଲି ସବୁ
ଭାଙ୍ଗିଲା ଘର ଦୋକାନ ।
ଉଭା ହେଲା ହାତୀ ରେମେଡ ଛକରେ
ଜାତୀୟ ରାଜ ମାରଗେ
ଭାଙ୍ଗିଲା ଅନେକ ଘରଦ୍ୱାର ଗାଡ଼ି
ଗଣିଲେ ଲୋକ ପ୍ରମାଦେ ।
ଖବର ପାଇଣ ନନ୍ଦିନ କାନନୁ
ଅଭିଜ୍ଞ ପଶୁ ପାଳକ
ନିଶା ଗୋଳା ମାରି କରିଲେ ଅଚେତ
କାର୍ଯ୍ୟ ଅସାଧ୍ୟ ଓ କଷ୍ଟ ।
ହାତୀ ଗୋଡ ବାନ୍ଧି ଲୈ।ହ ଶିକୁଳିରେ
ସ୍ୱତନ୍ତ୍ର ରେଳ ଗାଡିରେ
ନିଆଗଲା ତାକୁ ନନ୍ଦିନ କାନନ
ଜାତୀୟ ପ୍ରାଣୀ ଉଦ୍ୟାନେ ।
ନର ବା ଗୁଞ୍ଜର ଅଥବା ବାନର
ତିନିଙ୍କ ପ୍ରଖର ବୁଦ୍ଧି
ଅପଶବ୍ଦ ଶୁଣି ବୁଝି ଭଲମନ୍ଦ
ପୋଷା ହାତୀ ଗଲା ରାଗି ।
ଟେକା ଓ ପଥର ନ ଫିଙ୍ଗ ପ୍ରାଣୀଙ୍କୁ
ନ କର ତାଙ୍କୁ ବିରକ୍ତ
ସ୍ୱଭାବ ସ୍ୱଚ୍ଛନ୍ଦେ ବିଚରନ୍ତୁ ପ୍ରାଣୀ
ଦୂରତା ବଜାୟ ରଖ ।