ଅନ୍ତହୀନ ଶୋକ
ଅନ୍ତହୀନ ଶୋକ
ସେ ତ ଥିଲ କଳିଙ୍ଗ କନ୍ୟା, ଆନିନ୍ଦ୍ୟ ସୁନ୍ଦରୀ, ଅପରୂପା
ସୌନ୍ଦର୍ଯ୍ୟ ଶାଳିନୀ,
ସେ ତ ଥିଲ ଦିବ୍ୟାଙ୍ଗନା ଅପୂର୍ବ ଦିବ୍ୟତାରେ ସୁଶୋଭିତା
ସୌଭାଗ୍ୟ ଶାଳିନୀ,
ତା' ପାଇଁ ସେ ମାଟି ଥିଲା ଧନ୍ୟ, ଐଶୋର୍ଯ୍ୟର ମୂର୍ତ୍ତିମନ୍ତ
ସୁଷମା ପ୍ରଦାୟିନୀ,
ତା'ପାଇଁ ତ ସେ ଭୂମି ଥିଲା ପୁଣ୍ୟ, ଧନ ଧାନ୍ୟ ପରିପୂର୍ଣ୍ଣ
ପ୍ଲାବନର ଶୋର୍ଯ୍ୟ ବୀର ଶିରୀ,
ହେ ଦେବାନଂ ପ୍ରିୟ ଦେବ, ତୁମ ବ୍ୟଥିତ ହୃଦୟ,
ତୁମେ ପ୍ରିୟଦର୍ଶୀ, ଆଖିରେ ଅବାଂଛିତ ସ୍ବପ୍ନ
ଆଉ ସେ, ସେ ତ ଶୌର୍ଯ୍ୟର କାରୁବାକୀ..||
ହଁ,ସେ ଶୋର୍ଯ୍ୟ ବିହୁନେ,ତୁମେ ନିହାତି ନଗଣ୍ୟ,ପ୍ରତି ସ୍ପର୍ଦ୍ଧାରେ
ତ ତମେ ଥିଲ ହତ ଓ ଚକିତ, ହତବିମ୍ବ,
ନିହାତି ନିଃସ୍ୱ, ତୁମ ଉପଲବ୍ଧି ଯେ ଥିଲା ଅଯାଚିତ ଲକ୍ଷ୍ୟ,
ତୁମ ପାଇଁ ବାଜିଥିଲା ଶୁଭ ଶଙ୍ଖ ଧ୍ୱନୀ,ରଣ ଦୁନ୍ଦୁଭିର ନାଦ,
ଅସ୍ଥିର ସେ ବୁକୁ ତଳ ସୁରମ୍ୟ ପ୍ରାସାଦ, ମୋର୍ଯ୍ୟ ସୁର ବୀର,
ଅବିଳମ୍ବେ ବାଜିଥିଲା ଭେରୀ ଘୋଷ,ବିଜୟର ଅଟ୍ଟହାସ୍ୟ,
କରି ତ୍ରିକଳିଙ୍ଗ ଉତ୍କଳ,ଧରାଶାୟୀ,
କମ୍ପିତ ମେଦିନୀ, ଅସହ୍ୟ ଚିତ୍କାର,
କୁଢ଼ କୁଢ଼ ଶବ, ରକ୍ତ ରଂଜିତ ବକ୍ଷ,
p>
ପରାଜିତ ତ ତୁମେ ତୁମ୍ଭ ତରବରୀ ||
ଏବେ ବି ଗୁଂଜରିତ, ଅନୁରଣଜିତ ସେ ବକ୍ଷ, ମେଦ, ରକ୍ତ,
ଆଉ ରୁଧିରାକ୍ଷ୍ୟ ପ୍ରଶ୍ନ,
ପ୍ରତି କୋଣେ, ଅନୁକୋଣେ, ମୁଖରିତ, ଅତିଶୟ ପ୍ରଜ୍ଜ୍ୱଳନ,
ଆଉ କାରୁଣ୍ୟର ଚିହ୍ନ,
କଳିଙ୍ଗ ଯେ ପରାହତ,ତା ସ୍ବପ୍ନ ହୋଇ ନାହିଁ ହତ,ଭୁଲୁଣ୍ଠିତ,
ନୁହେଁ ସେ ନତ ମସ୍ତକ,
ତାର ପ୍ରତ୍ୟେକ ଶିରା ପ୍ରଶିରାରେ ପୂର୍ଣ୍ଣ ପ୍ରାବଲ୍ୟ,ପୁଣ୍ୟତାର
ରକ୍ତ, ବୀର ପ୍ରସବିନୀ ସେ..
ତାର ସୁଯୋଗ୍ୟ ଦାୟାଦ,
ସେ ସ୍ୱୟଂ ଅପରାଜିତ, ତୁମେ ଅନୁତପ୍ତ,
ବିଜୟୀ ଯେ'ସ୍ୱୀୟ ପରାଜିତ ||
ମାଗେ ମୋକ୍ଷ, ଖୋଜେ ସେଇ ପୁଣ୍ୟ କୋଳ, ସଦା ବତ୍ସଳ
ବୀର ପ୍ରସବିନୀ ଜନନୀ କଳିଙ୍ଗ,
ତୁମେ ପରାହତ,ସେ ଆହତ ମମତ୍ୱ, ସେ ତ ଅପରାଜେୟ,
ତୁମେ ମାଗୁଛ ମୋକ୍ଷତ୍ବ,
ହେ ଚଣ୍ଡାଶୋକ, ତୁମେ ନିହାତି ଅସ୍ଥିର,ନାହିଁ ତୁମ ପା6ର୍ଶ୍ଵ
ଆଜି ବି ଉତ୍ତର,ସଦା ନିରୁତ୍ତର..!
ଆଜି ବି କାମନା ତୁମ ସଦା ଜର୍ଜରିତ,
ସନ୍ଧାନେ ମୁକ୍ତିର ଆଲୋକ,
ଲଭିବାକୁ ତୁମେ ଶୋକହୀନ ଶୋକ
ଆଉ ଶୋକରୁ ଅ-ଶୋକ !!