STORYMIRROR

Debadatta Jena

Romance Tragedy Inspirational

4  

Debadatta Jena

Romance Tragedy Inspirational

ନୀଳ ଚିଠି

ନୀଳ ଚିଠି

2 mins
536

ଏ ଆକାଶ ଵି ତ ନୀଳ,ସାଗର ଵି ନୀଳ,

ନୀଳ ଏଇ ସବୁଜ ବନାନୀ

ଏ ଆସ୍ତରଣ ଵି ନୀଳ,ଶିହରଣ ଵି ନୀଳ

ନୀଳ ପୁଣି ଅନ୍ତଃର୍ମନ ଅକୁହା କାହାଣୀ

ନୀଳ ମେଘ,ଘନ କାନ୍ତି,ଅପୂର୍ବ ମହନୀ

ଆଉ ନୀଳ ସେଇ ରୂପ ରାଣୀ,

ପ୍ରିୟତମା,ପୁଣି ତା ଲାଜୁଆ ଚାହାଣୀ ।

କାହିଁକି କେଜାଣି

ଏ ନୀଳ ରଂଗରେ କି ଯାଦୁ ରହିଛି ଯେ,

ଏ ସାରା ଦୁନିଆଁକୁ ତା ନୀଳିମାରେ

ବିମୋହିତ କରେ,ତା ଠାଣି,ବାଣୀ

ମର୍ମବାଣୀ,କଣ ନୀଳ ବୋଲି ସମ୍ମୋହନେ

ସେ ମୋହିତ ସନ୍ଧାନୀ., ଅବା ଘନ ନୀଳ

ଆଵାହନେ,ବିମୁଗ୍ଧ ଚକିତ ବିନ୍ଧାଣୀ ।

ସତରେ ନୀଳ ନୀଳ କାନ୍ତି ଆଚ୍ଛାଦନେ

କି ଅନେକ ସ୍ମୃତି ବିଜଡିତ ବିବିଧ କାହାଣୀ

କେବେ ତୁମେ ଆସୁଥିଲ,ନୀଳ ଲିପି ଆଂକୁଥିଲ

ନୀଳ ଦେହେ,ନୀଳ ମନ ଆଶ୍ୱାସନା ନେଇ

କେବେ ତୁମେ ବାଣ୍ଟୁଥିଲ ହସର ପ୍ଲାବନ ତ,

କେବେ ଲୁହ ଶ୍ରାବଣର ଅମାନିଆ ନଈ,ପୁଣି 

ବିତୁଥିଲା ଅପାସୋରା ବିନିଦ୍ର ରଜନୀ ।

କେବେ ତୁମେ ମୋହାଚ୍ଛନ୍ନ,ତ ମହକିତ ଠାଣି, 

ସ୍ନେହାୟିତ ଅକୁହା ସ୍ପନ୍ଦନ ଜୀବନୀ

କେବେ ତୁମେ ନୀଳ ଉର୍ମୀ ନୀଳାଭ୍ରୁ ନୟନା

ନୀଳ ପ୍ରାଣ,ନୀଳ ଜହ୍ନ ଅତୁଟ ବନ୍ଧନ ବନ୍ଦିନୀ

କେବେ ରାଗ, ଅନୁରାଗ କେବେ ହସ,ସରାଗ 

କେବେ କ୍ରନ୍ଦନର ରୋଳ,ମିଳନ ବିଚ୍ଛେଦ,

ପୁଣି ସୁଖ ଦୁଃଖ ହାନି ଲାଭ ହିସାବ ବଖାଣି ।

କେବେ ମୋହିତ ଚର୍ଚ୍ଚିତ ପୁଣି ଅର୍ଚ୍ଚିତ ବନ୍ଦିତ,

ତ କେବେ ସୁବାସିତ,ସୁମଧୁର ସଂଗୀତ ଗାଇ,

ପୁଣି ବ୍ୟଥିତ ଗୋପନର ଇସ୍ତାହାର ନେଇ,

କେବେ ରୋମାନ୍ଥିତ,କେବେ ରୋମାଞ୍ଚର ଭୀତି 

କେବେ ମେଞ୍ଚା ମେଞ୍ଚା ସ୍ବପ୍ନ ସମ୍ଭାବନା ସାଜି

କେବେ ପାର୍ଥିବ ସମାଚାର,ତ ପୁଣି କେବେ

ଆସ ଅପାର୍ଥିବ ଅମୂଲ୍ୟ ଉପହାର ନେଇ ।

କେତେ ରଂଗ,କେତେ ରୂପ ଲାବଣ୍ୟ ହେଇ 

କେତେ ଆଶା,କେତେ ଭାଷା,ସ୍ବପ୍ନ ସମ୍ଭାର

ଅଭ୍ୟର୍ଥନା ନେଇ ଆସୁଥିଲ ବାନ୍ଧୁଥିଲ,

ଲେଖୁଥିଲ,ଯୋଡୁଥିଲ,ବିଶ୍ୱାସର ଜଉମୁଦ

ଜଡ଼ ଦେହେ ସମ୍ପର୍କର ଡୋର ଟିଏ ସାଜି, 

ସେ ଅଥର୍ବକୁ ଅପରୂପ ମୂର୍ଚ୍ଛନା ଯେ ଦେଇ

ରହୁଥିଲ ଅନେକ ଯୁଗ ପ୍ରତୀକ୍ଷାକୁ ସହି ।

ଅସରନ୍ତି ଉନ୍ମାଦନା, ଭାବଛ୍ଵାସ ବିଭାବନା

ଏ ସୁପ୍ତ ହୃଦୟେ କି, ରୁଦ୍ଧ ବନ୍ଦିନୀ କି ସେହି ।

ତଥାପି ଏବେ ଵି ହଜିନି ସ୍ମୃତି,ତୁମ ପ୍ରୀତି

ଅଧୁରା ସେ ରାଗ ରୋଷ,ମାନ ଅଭିମାନ,

କେବେ ଅର୍ଥହୀନ,ଜଳୁଛ ତିଳ ତିଳ ହେଇ

ନାଁ ତଥାପି ସରିନାହିଁ ଇତିବୃତ୍ତି,ଇତିହାସ,

ଅଲିଭା ସେ ନୀଳ ଚିଠି,ଏବେ ଵି ଜାଗ୍ରତ,

ତୁମେ ଅବଶିଷ୍ଟ,ଅବଲୁପ୍ତ 'ଇତି' ଟିଏ ଆଜି ।

ମରି ନାହିଁ ଆଶା ଭାଷା, ସରିନି ରାଗ ଋଷା,

ଚେତନାର ଚୌହଦୀରେ ପ୍ରଜ୍ଜଳିତ,ପ୍ରସ୍ଫୁଟିତ,

ଯନ୍ତ୍ର ଦାବାନଳ ଯୁଦ୍ଧେ,ହଜି ନାହିଁ ଯଶ କୀର୍ତ୍ତି,

ସଦା ବଂଚିଛି ସେ ମହାର୍ଘ୍ୟ ପ୍ଲାବନର ସ୍ମୃତି

ଜୀବନର ଅନ୍ତଃସ୍ୱର ମରି ନାହିଁ ମଞ୍ଜ ସ୍ରୋତ

ନୀଳ ହ୍ରଦେ,ନୀଳ ଜହ୍ନେ ଅଲିଭା ସ୍ଵାକ୍ଷର ସେହି,

ହଜିନି ଏ ଅପରାହ୍ନେ,ସମୟର ତୀବ୍ର ସ୍ରୋତେ,

ମୁକସାକ୍ଷୀ ଏବେ ସିଏ ଜୀବନର ସୁର ସେହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance