ପାଳଭୂତ
ପାଳଭୂତ
ମଶାଣିର ଆରପାରି ଅତ୍ୟୁର୍ବର ଭୂଇଁ
ଖରାବେଳେ ଉତ୍ଥାପିତ ଏକାକୀ କଙ୍କାଳ
ଫସଲ ଉଛୁଳି ଉଠେ ଧାତ୍ରୀ ବକ୍ଷ ଛୁଇଁ
ବିକଟାଳ ରୂପେ ଜଗେ ବିଜନ ପଙ୍କାଳ ।
କ୍ରୋଡଗତ ଆଖି, ନାହିଁ ଜୀବନର ରାହା
ଶୋଇଯାଏ ତୁନି ହୋଇ ବୁଭୁକ୍ଷୁର ପେଟ
ପଞ୍ଜରାର ହାଡ ଗଣି ଖୋଜୁଥାଏ ସାହା
ମନ ଇଚ୍ଛେ ସମ୍ଭାବିତ ସପନର ଭେଟ ।
ଦୁର୍ଭିକ୍ଷର କଷଟିରେ ନିକ୍ଷେପେ ବର୍ଷଣ
ଆଖିର ନଗିରେ କ୍ଷେତ ଉଜୁଡା ହିଁ ଦିଶେ
ପରୀକ୍ଷିତ ପେଟେ ସହି ଦାଦନ କଷଣ
ଜଳିଜଳି ଲିଭି ଶେଷେ ମାଟିରେ ହିଁ ମିଶେ ।
ମଫସଲ ଜଗେ କିବା ମଡା କେହି ଚ୍ୟୂତ
ଖାଙ୍କଲା ପେଟରେ ସାଜି ଭିନ୍ନ ପାଳଭୂତ ।