ସାବଧାନତା
ସାବଧାନତା


ଦମ୍ଭେ ପରିତ୍ୟଜି ନିଜର ସମସ୍ତ
ଉପଲବ୍ଧ ସୁଖଭୋଗ
ଆଜିର ମଣିଷ ଆତଙ୍କିତ ଏବେ
ବିନାଶକାରୀ ଏ' ରୋଗ ।
ଆସୁରିକ ନାନା ଭୂତାଣୁ ଦମନେ
ଲୋଡ଼ା ଯେ ସଙ୍କଳ୍ପ ଦୃଢ଼
ତାଲାବନ୍ଦ କଥା ମାନିନେବା ପାଇଁ
ଆମେ କିମ୍ପା ଏତେ ମୂଢ଼ ?
କ୍ଷୁଦ୍ର ଖଦ୍ୟୋତିକା ସାମର୍ଥ୍ୟେ ନିଜର
ଅନ୍ଧାର ଯେଉଁଠି ନାଶେ
ଆମେ କି ଅକ୍ଷମ ଜଗତ କଲ୍ୟାଣେ
ସ୍ଥିର ରହିବାକୁ ବାସେ ?
ସମଗ୍ର ମାନବ ସଭ୍ୟତା ସମ୍ପ୍ରତି
ବିନାଶ ହେବାର ଭୟ
ଅର୍ଦ୍ଧେକ ଜନତା ଭାଗ୍ୟେ ଯୁଟୁନାହିଁ
ଦେଖିବାକୁ ସୂର୍ଯ୍ୟୋଦୟ ।
ସତ୍କାର ନହୋଇ ପଥପ୍ରାନ୍ତେ ଦେଖ
ପଡିଅଛି କେତେ ଶବ
ତଥାପି ଚେତନା ଅଭାବେ ଘାରିଛି
ବୃଥା ଅହଂକାର ଗର୍ବ ।
ଦୁଃସ୍ଥ ଜନତାଙ୍କ ଅବସ୍ଥା ହେଲାଣି
ଶୋଚନୀୟ ଅତିଶୟ
ପାର୍ଶ୍ବପ୍ରଭାବରେ ଆହୁରି ଅଧିକ
ନହେବ କି ବିପର୍ଯ୍ୟୟ !
ରୋଗ ସଂକ୍ରମଣେ ଆମରି କାରଣେ
ବିକଟାଳ ଏହି ସ୍ଥିତି
ସାବଧାନ ହେଲେ କରୋନା କବଳୁ
ସକଳେ ପାରିବା ଜିତି ।