କଲମ
କଲମ
ଧଳା କାଗଜରେ ନୀଳ, ନାଲି, ବ୍ଲୁ
ନାନା ରଙ୍ଗ ଯେ ଝରାଏ
ଭାଷା ପ୍ରକାଶର ମାଧ୍ୟମ ପରା ସେ
କଲମ ନାମକୁ ବହେ ।
ରଙ୍ଗପାଣି ପେଟେ ଥିଲା ପରଯ୍ୟନ୍ତ
ଚାଲି ପାରେ ଅବିରତ
ପେଟ ଖାଲି ହେଲେ ମୁହଁ ଶୁଖିଯାଏ
ହୁଏ ସେଥିରୁ ବିରତ ।
ଭିନ୍ନ ଭିନ୍ନ ନାମ ରୂପରେ ଆଜି ସେ
ଆସିଛି ଆମ ପାଖକୁ
ଭାରି ଆଦରରେ ପିଲାଠାରୁ ବୁଢା
ଧରିଥାନ୍ତି ହାତେ ତାକୁ ।
ଲେଖିଲେଖି ପିଲେ ଶିଖିଥାନ୍ତି ପାଠ
ଏହି କଲମ ମାଧ୍ୟମେ
ଠିଆ ହୋଇଥାନ୍ତି ଶେଷରେ ଶିକ୍ଷିତ
ସୁଦକ୍ଷ ବିନ୍ଧାଣି ନାମେ ।
ଜ୍ଞାନ ପ୍ରଦାନରେ ସଦା ସେ ଜାଗ୍ରତ
କେବେ ଥକି ପଡେ ନାହିଁ
ତା'ର ଏହି ସେବା ମାନବର ବଳ
ଆଗକୁ ବଢିବା ପାଇଁ ।
ସାହିତ୍ୟ ଜଗତେ କଲମର ଦାନ
ଅଟଇ ଅତୁଳନୀୟ
ଶବ୍ଦ ତୋଳି ଧରି ଲେଖକ ଲେଖିକା
ଉଡ଼ାନ୍ତି ଭାଷାର ଜୟ ।
କେବେ ସେ କବିର ନିଭୃତ କୋଣରୁ
ଝରାଏ ମଧୁ ରାଗିଣୀ
କେବେ ତୋଳିଧରି ବେସୁରା ରାଗିଣୀ
ହୃଦୟକୁ ଦିଏ ହାଣି ।
ଗଳ୍ପ, ଏକାଙ୍କିକା, କବିତା, ପ୍ରବନ୍ଧ
ନାଟକାଦି କରି ଦାନ
ସମାଜେ ସଂସ୍କାର ଆଣିଥାଏ ପରା
ସବୁ ଏକଲମ ମୁନ ।
ପୁରାଣଗାଥାଠୁ ଇତିହାସ ଯାଏ
ସବୁ କଲମ ଲେଖଇ
ଗାଣିତିକ, ଜ୍ଞାନବିଜ୍ଞାନାଦି ତଥ୍ୟ
ବପନ ସେ କରିଥାଇ ।
କଳାଟାକୁ ଧଳା ଧଳାଟାକୁ କଳା
ଯେତେ ଅସାଧ୍ୟ ସାଧନ
କରି ପାରିଥାଏ ତାହାର କାଳିରେ
ଆଲୋକ ବି ପ୍ରଦର୍ଶନ ।
ଅସୁମାରି ପରା ତା’ର ଗୁଣପ୍ରଭା
ଯେତେ ଲେଖିଲେ ବି କମ୍
ଜଣାଏ ତାହାର ସୃଷ୍ଟିକରତାଙ୍କୁ
ହୃଦୟୁ କୋଟି ପ୍ରଣାମ ।।
