STORYMIRROR

Nibedita Panda

Inspirational

4  

Nibedita Panda

Inspirational

ସାଧବ ବୋହୂ

ସାଧବ ବୋହୂ

1 min
28


ଧରାକୁ ମୈାସୁମୀ ଛୁଇଁ ଗଲା ପରେ

    ସାଧବ ବୋହୂ ପ୍ରକାଶେ,

ମାଟିର ଭିତରୁ ଧୀରେ ସେ ବାହାରି

    ଘାସ ଗାଲିଚାକୁ ଆସେ।


ସାଧବ ବୋହୂର ରୂପ ମନୋରମ

   କରଇ ତଲ୍ଲୀନ କେତେ,

କବି ଭାବୁକଙ୍କୁ ହଜାଏ ପ୍ରେମରେ

    କାବୁ କରିନିଏ ସତେ।


ରୂପ ସୈାନ୍ଦର୍ଯ୍ୟରେ ଛୁଇଁ ଦେଇଯାଏ

     ସବୁରି ମନ ପରାଣ,

ତାକୁ ଦେଖି ସର୍ବେ ହୁଅନ୍ତି ବିଭୋର

    ଆକର୍ଷେ ତା' ନାଲି ବର୍ଣ୍ଣ।


ସବୁଜିମା ବୁକେ ନାଲି ଟୁକୁ ଟୁକୁ

    ମନଜିଣା ଦୃଶ୍ୟ ଆଙ୍କେ,

ଯିଏ ଦେଖେ ଖୁସି ହୋଇ ଯାଏ ଆସି

    ଦଣ୍ଡେ ଘଡ଼ିଏ ଅଟକେ।

    

ଟୁପୁରୁ ଟୁପୁରୁ ବରଷା ପଡିଲେ

    ଧରଣୀ ଲଭେ ଉସାସ,

ସୈାନ୍ଦର୍ଯ୍ୟ ଆଭାସ ଦିଅଇ ସଭିଙ୍କୁ 

    ସାଧବ ବୋହୂର ହସ।


ଅବନୀ ପୃଷ୍ଠକୁ ଆସଇ ମୈାସୁମୀ

    ଦିଏ ଯାଦୁକରୀ ସ୍ପର୍ଶ,

ସେହି ସ୍ପର୍ଶ ପାଇ ସାଧବ ବୋହୂର

    ନରହେ ଗ୍ରୀଷ୍ମର ତ୍ରାସ।


ଟୁପୁରୁ ଟୁପୁର ବରଷା ବିନ୍ଦୁରେ 

    ଦୂରାଏ ମାଟି ଶୁଷ୍କତା, 

ସାଧବ ବୋହୂଟି ବାହାରି ଆସଇ

    ପାଇ ଶୀତଳ ଆଦ୍ରତା।


ଥିରି ଥିରି ପାଦେ ଆସିଯାଏ ପରା

    ତା' ପରିବାରକୁ ଧରି,

ନିଦାଘର ଦାଉ ନରୁହଇ ତାର

    ଯାଏ ପୁଣି ଅପସରି।


ବର୍ଷା ଆଗମନ ମଙ୍ଗଳ ଦାୟକ

   ତାର ପାଇଁ ସବୁବେଳେ,

ସୁଧା ସମ ପ୍ରାୟ ଅମୃତ ବାରିଦ

   ଧରଣୀ ରାଣୀର କୋଳେ।


ବରଷା କାଳରେ ଥଣ୍ଡା ପରଶରେ

     ତାର ପ୍ରାଣେ ଭରେ ତୃପ୍ତି ,

ପ୍ରକୃତି କୋଳରେ ହସି ବୁଲୁଥାଏ

    ସଭିଙ୍କୁ ବାଣ୍ଟଇ ପ୍ରୀତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational