ତୁମକୁ ପାଇଁ ମୁଁ ପାଇଛି ସବୁ
ତୁମକୁ ପାଇଁ ମୁଁ ପାଇଛି ସବୁ
ନିବିଡ ସମ୍ପର୍କ ସ୍ୱର୍ଗୀୟ ମହାର୍ଘ୍ୟ
ବଳିଷ୍ଠ ତା' ଅନ୍ତଃସ୍ବର ,
ସୁଦୃଢତା ଆଉ ବଦାନ୍ୟତା ପଣେ
ରହିଥାଏ ନିରନ୍ତର।
ତୁମକୁ ପାଇ ମୁଁ ସବୁ ପାଇଅଛି
ସବୁ ଇଚ୍ଛା ପ୍ରଭୁଙ୍କର।
ସମ୍ପର୍କ ଆମର ରହିଛି ଅତୁଟ
ରହିଛି ଚିର ସୁନ୍ଦର।
ଆମ ସମ୍ପର୍କ ତ ଇର୍ଷା ବିରହିତ
ପତିତ୍ର ଆଉ ଶାଶ୍ବତ,
ନଦେଖି ନଜାଣି ଗ୍ରହଣ କରିଛ
ନିଜକୁ କରି ପ୍ରସ୍ତୁତ।
ଅନୁଭବିଛି ମୁଁ ମୋ ମନ ଦୁଃଖରେ
ତୁମର ହୃଦୟ କାନ୍ଦେ,
ନୟନରେ ସିନା ଲୁହ ଦିଶେ ନାହିଁ
ନୀରବି ଯାଅ ଦରଦେ।
ତୁମ ହୃଦୟ ତ ନେବାକୁ ଶିଖିନି
ଦେବାରେ ପାଇଛ ଶାନ୍ତି,
ଅଭିମାନ ଆଉ ସ୍ବାଭିମାନ ସହ
ଝରିବାରେ ଆତ୍ମତୃପ୍ତି।
ଅଥୟ ହେଲେ ବି ନୁହଁ ଅନ୍ତର୍ଘାତୀ
ମଧୁବୋଳା ସେ ହୃଦୟ ,
ରଙ୍ଗଶାଳା ନୁହେଁ ବରଂ ରଙ୍ଗଭୂମି
କରିବାକୁ ଅଭିନୟ।
କେତେ ବଡ଼ ଭାଗ୍ୟ ଥିଲା ଯେ ମୋହର
ମନ ଜାଣି ଫଳ ମିଳିଲା,
ତୁମକୁ ପାଇ ମୁଁ ପାଇଗଲି ସବୁ
ଜୀବନ ସାର୍ଥକ ହେଲା।
ପ୍ରେମ ଉପହାର ଦୁଇ ଝିଅଙ୍କୁ ତ
ଗଢିଲ ଯତନ କରି,
ମନକଥା ବୁଝି କରିଅଛ ସବୁ
ଦେବଦୂତଙ୍କର ପରି।
ସଂସାର ସାଗରେ କାତ ଅଟ ତୁମେ
ମୁଁ ତାହାର କର୍ଣ୍ଣଧାର ,
ଯେମିତି ବାହିବ ସେମିତି ଚାଲିବ
ନାଆ' ଅଟଇ ସଂସାର।
ତାରୁଣ୍ୟେ ଦାମ୍ପତ୍ୟ ପ୍ରେମ, ପ୍ରୀତି ଭରା
ବାର୍ଦ୍ଧକ୍ୟରେ ସହାୟତା
ବିବାହ ବନ୍ଧନ ସଦା ଅମଳିନ
ମନେ ଆଣେ ପବିତ୍ରତା।
