STORYMIRROR

Nibedita Panda

Inspirational

4  

Nibedita Panda

Inspirational

ତୁମକୁ ଝୁରେ ମୋ ମନ

ତୁମକୁ ଝୁରେ ମୋ ମନ

1 min
35


ଦୁନିଆର ଗତି ମିଳନ ବିଚ୍ଛେଦ

     ଜୀବନର ଗତି ରହସ୍ୟାବୃତ,

ସେଦିନ ଓ ଆଜି ଭିତରେ ଦେଖିଲେ

   ଆକାଶ ପାତାଳ ଲାଗେ ତଫାତ।


ସେଦିନ ବି ଥିଲା ଆଜି ବି ରହିଛି

    ତୁମ ଅନାବନା ସ୍ମୃତି ମନରେ,

ସେଦିନର ସେହି ସୁନେଲି ମୁହୁର୍ତ୍ତ

    ହଜିଯାଇଛି ନିରାଶା ଅନ୍ଧାରେ।


ଅତୀତ ରହିଛି ଅତୀତର ଗର୍ଭେ

    କେବେଠାରୁ ତ ଛାଡ଼ି ଆସିଲିଣି,

ତଥାପି ତାହାର ସମ୍ମୋହନ ମତେ

    ପଛକୁ କାହିଁକି ନିଅଇ ଟାଣି।


ଜାଣିଛି ସେଦିନ ଫେରି ଆସିବନି

    ତଥାପି ମନରେ ହୁଅଇ ଖୁସି,

ଲାଗେ ବେଳେ ବେଳେ ସ୍ମୃତି ସହ କିନ୍ତୁ 

    ସେହି ଦିନ ସତେ ଯାଉଛି ଆସି।


ଅତୀତର ପୃଷ୍ଠା ସାମ୍ନାରେ ଆସିଲେ

   ନଜରେ ଆସଇ ଦୁଃଖ ଓ ସୁଖ,

ପୃଷ୍ଠା ଖୋଜୁ ଖୋଜୁ ଆଖି ଭିଜିଯାଏ

   ଯେବେ ଦେଖେ ତାର ପ୍ରଛଦ ପାଖ।


ସେହି ସ୍ମୃତି ସହ ତୁମେ ଯେ ଜଡ଼ିତ

     ରହିଛ ରହିବ ଜୀବନ ସାରା,

ଯେବେ ମନେ ପଡେ ତୁମ କଥା ମୋର

    ଆଖି ହୁଏ ମୋର ଲୋତକଭରା।


କାରଣ ଜାଣିନି ଖୋଜି ବି ପାଉନି

   କାହିଁକି ଆସେ ସେ ମଧୁର ସ୍ମୃତି,

ଯେଉଁ ସ୍ମୃତି ସହ ସମୟ ହଜିଛି

    ବଦଳି ଯାଇଛି ସେ ପରିସ୍ଥିତି।


ହେ ମୋର ଅତୀତ କାହିଁକି ତୁ ଡାକୁ, 

     ମୋ ମନ ବା କାହିଁ ହୁଏ ଅଧୀରା, 

ସପନ ରାଇଜ ପରି ଟିଏ ପରି

    ମନରେ ରହିଛି ତା' ଅପାଶୋରା।

     

ବିତିଯିବା କାଳ ବହିଯିବା ଜଳ,

    କଥା ଅଛି କେବେ ଆସେନା ଫେରି, 

ମୋ ମନ ତଥାପି ବୁଝେନା କାହିଁକି, 

     ବୃଥାରେ ତାକୁ ମୁଁ ହେଉଛି ଝୁରି।


ଫେରୁ କି ନଫେରୁ ଅତୀତଟି ମୋର,

    ମାନସ ଚକ୍ଷୁରେ ଅଛି ତା ରୂପ,

ନୀଳ ଅନ୍ଧାରରେ ତୋଫା ତୋଫା ଦିଶେ, 

     ଜହ୍ନି ଫୁଲିଆ ସେ ସୁନ୍ଦର ଛାପ ।


ଯେତେ ଦେଖିଲେ ବି ଭରେନାହିଁ ମନ

    ଭୁଲି ହେଉନାହିଁ ସେହି ଅତୀତ,

ଝୁରୁଛି ତୁମକୁ ମୋ'ମନ ଭିତରେ

     ଥିବାଯାଏ ମର୍ତ୍ତ୍ଯେ ମୁହିଁ ଜୀବନ୍ତ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational