ଜୀବନ ଗଣିତ
ଜୀବନ ଗଣିତ
ନିଜର ରହସ୍ୟ ନିଜକୁ ଅଜଣା
ବିତିଚାଲେ ଦିବା ରାତି
ତଥାପି ବଞ୍ଚିଛି ଗଣନା କରୁଛି
ଲଭିବାକୁ କିଛି ପ୍ରୀତି l
ଗଣିତ ପଢ଼ିଛି ଗଣିତ କଷିଛି
ଜାଣଇ ଗଣିତ ସୂତ୍ର
ଜୀବନକୁ ଯେବେ ନିରେଖି ଦେଖିଲି
ଖୋଲିଗଲା ମୋର ନେତ୍ର l
ଜୀବନ ଗଣିତ ଅବୁଝା ରହିଲା
ଯେତେ କଲି କଷା କଷି
ଯୋଗ ବିୟୋଗରେ ଅସଫଳ ହେଲି
ଭାଗଫଳ ହେଲା ବେଶୀ l
ମାଆ ର ଗର୍ଭରୁ ଜନମ ଯେ ନେଲି
ପ୍ରାରବ୍ଧ ହେଲା ମୋ ଦୃଷ୍ଟ
କର୍ତ୍ତା ଭାବ ରଖି କ୍ରିୟା ଯାହା କଲି
କ୍ରିୟମାଣ ହେଲା ସୃଷ୍ଟ l
କର୍ମଫଳ ଭୋଗ ଶେଷେ ଯା ବଳିଲା
କ୍ରିୟମାଣୁ ଦେଲି ଫେଡ଼ି
ଅବଶେଷ ପୁଣି ସଞ୍ଚିତେ ମିଶିଲା
ଭାଗଶେଷ ଗଲା ବଢ଼ି l
ମିଶାଣ ଫେଡାଣ ହରଣ ଗୁଣନ
ଯେତେ ଯାହା ଥିଲି ଜାଣି
ଜୀବନ ଗଣିତେ କାମେ ନ ଆସିଲା
କର୍ମ ଆଗେ ହେଲି ଋଣି l
ଏପରି ଗଣିତ ଜନ୍ମ ଜନ୍ମ ଧରି
କଷି ଚାଲୁଅଛି ଭାଇ
କର୍ମଫଳ ଭୋଗ ଶେଷ ହେଉନାହିଁ
କର୍ମଚକ୍ରେ ଘୂରେ ମୁଁହି ।
