ବିଜୟା ଦଶମୀ
ବିଜୟା ଦଶମୀ
ପଡ଼ିଛି ବିପତ୍ତି ଦେବେ କଲେ ସ୍ତୁତି
ଆସ ମାତା ଆଦ୍ୟାଶକ୍ତି
ମହିଷା ଅସୁର କର ମା ସଂହାର
ସର୍ବେ ଦିଅ ଅନୁରକ୍ତି l
ଏକ ଶକ୍ତି ସେହି ନବ ରୂପବହି
ନଭୁ ହେଲେ ଆବିର୍ଭୂତା
ଏକ ଏକ ରୂପେ ଭବେ ଉଭାହେଲେ
ନବଦୁର୍ଗା ଆଦିମାତା l
ରଣ ଦୁନ୍ଦୁଭିରେ ପ୍ରକମ୍ପିତ ହେଲା
ପ୍ରକମ୍ପିଲା ମହିପୁର
ଚଣ୍ଡୀ ଚାମୁଣ୍ଡାଙ୍କ ବିକଟାଳ ସ୍ୱର
ଶୁଣି ଦୈତ୍ୟ ଥର ହର l
ଉଗ୍ର ରୂପବହି ଅଗ୍ରସର ହେଲେ
ଦେବୀ ଦୁର୍ଗା ଦଶଭୁଜା
ମହିଷା ଅସୁର ପ୍ରାଣ ବିନାଶିଲେ
ଉଡ଼ିଲା ବିଜୟ ଧ୍ଵଜା l
ଜୟ ଜୟ କାରେ ଉଛୁଳି ଉଠିଲା
ତ୍ରିଭୁବନ ଦଶଦିଶ
ବିଜୟ ଉତ୍ସବ ପାଳନ କରିଲେ
ସ୍ତବିଲେ ବିଜୟା ଯଶ l
ତ୍ରିଗୁଣ ଆତ୍ମିକା ଶକ୍ତିସ୍ଵରୂପିଣୀ
ତ୍ରୟୀରୂପା ଆଦ୍ୟାଶକ୍ତି
ତ୍ରିକାଳେ ବନ୍ଦିତା ତ୍ରିଭୁବନ ମାତା
କାଳୀ ଲକ୍ଷ୍ମୀ ସରସ୍ଵତୀ l
ତୁହି ସର୍ବଶକ୍ତି ସନାତନୀ ମୂର୍ତ୍ତି
ତୁହି ମାତା ବିଶ୍ଵେଶ୍ୱରୀ
ନାନାରୂପେ ତୁହି ଜଗତେ ପୂଜିତା
ଦୁର୍ଗା ତାରା ମାହେଶ୍ଵରୀ l
ଦ୍ୟୁଲୋକ ବାସିନୀ ଭୁବନ ମୋହିନୀ
ତ୍ରିଲୋଚନୀ ଶିବ ଜାୟା
ତୁହି ଆଦିମାତା ତ୍ରିଲୋକେ ବନ୍ଦିତା
ମହାକାଳୀ ମହାମାୟା l
ଦଶବିଦ୍ୟା ତୁହି ନବଦୁର୍ଗା ତୁହି
ଲକ୍ଷ୍ମୀ ଭୁବନ ମୋହିନୀ
ବିଷ୍ଣୁମାୟା ତୁହି ରଜ ଗୁଣମୟୀ
ଧନ ବୈଭବ ଦାୟିନୀ l
ଶ୍ୱେତ ଗୁଣମୟୀ ଶୁଦ୍ଧ ଵିଦ୍ୟାଦାୟୀ
ସତ୍ତ୍ଵମୟୀ ସରସ୍ଵତୀ
ଅଜ୍ଞାନ ହାରିଣୀ ଜ୍ଞାନ ପ୍ରଦାୟିନୀ
ବିଶୁଦ୍ଧ ବିଜ୍ଞାନେ ପ୍ରୀତି l
ବ୍ରାହ୍ମୀ ପ୍ରଜ୍ଞାଶକ୍ତି ଶୁଦ୍ଧ ପ୍ରେମା ଭକ୍ତି
ଜ୍ୟୋତିର୍ମୟୀ ସନାତନୀ
ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ
ଭକ୍ତି ମୁକ୍ତି ପ୍ରଦାୟିନୀ l
