ନୀଳାଚଳ ରସିକ ମଣି
ନୀଳାଚଳ ରସିକ ମଣି
କି ସୁନ୍ଦର ତୋର ବାଙ୍କ ଚାହାଣୀ l
ବଙ୍କିମ ଅଧରେ ବଙ୍କା ବଙ୍କା ହସ
କ୍ଷଣିକରେ ନେଉ ହୃଦୟ କିଣି l
ନୀଳାଚଳ ରସିକ ମଣି ...ll
ନୀଳକନ୍ଦରରେ ଭାଇ ଭଗ୍ନୀ ସାଥେ
ବିଜେ କରି ପ୍ରଭୁ କମଳ ପାଣି l
ଷାଠିଏ ପଉଟି ଭୋଗ ପରସନ୍ତି
ମହାଲକ୍ଷ୍ମୀ ମାଆ ସିନ୍ଧୁ ଦୁଲଣୀ l
ନୀଳାଚଳ ରସିକ ମଣି ...ll
ସତ୍ୟଯୁଗେ ପ୍ରଭୁ ହେଲ ଅବତାର
ଧରଣୀ ଧାରଣ ଉଦ୍ଧାର ବାଣୀ l
ନରସିଂହ ରୂପେ ହିରଣ୍ୟ ବିଦାରି
ଧ୍ରୁବ ପ୍ରହଲ୍ଲାଦ ଭକତ ଶ୍ରେଣୀ l
ନୀଳାଚଳ ରସିକ ମଣି...ll
ତ୍ରେତୟା ଯୁଗରେ ରାମ ଅବତାରେ
ତପୀଙ୍କୁ ମୋହିଲ ଭାବକୁ ଜାଣି l
ପଥରେ ତାରିଲ ପଥର ନାରୀକୁ
ବିଦେହକୁମାରୀ ହୃଦୟ ମଣି l
ନୀଳାଚଳ ରସିକ ମଣି ...ll
ଦ୍ଵାପରେ ଗୋପରେ ଗୋପିଙ୍କ ରସିକ
ବରଜ ରାଜ, ସେ ରସିକା ଶ୍ରେଣୀ l
ଗୋପ ଛାଡ଼ି ପୁଣି ମଥୁରାକୁ ଗଲ
ଅନାଥ କରିଲ ବ୍ରଜ ତରୁଣୀ l
ନୀଳାଚଳ ରସିକ ମଣି ...ll
ମାନ ଉଦ୍ଧାରଣ ଦ୍ରୌପଦୀର ମାନ
କୋଟି ବସ୍ତ୍ର ଦେଲ ଶୁନ୍ୟ ଛାଉଣୀ l
ପାପୀ ଅଜାମିଳ ଶୁଣିଲ ବିକଳ
ଶୁଣିଛି ମୁଁ ତାରିଅଛ ମୃଗୁଣୀ l
ନୀଳାଚଳ ରସିକ ମଣି ... ll
ଆହେ ଦାରୁବ୍ରହ୍ମ ! ତୁମେ ପୁର୍ଣ୍ଣବ୍ରହ୍ମ !
ତାରୁଅଛ ପରା ପାତକୀ ଶ୍ରେଣୀ l
ନୀଳଚକ୍ରେ ନେତ ଉଡ଼ାଇ ଅଛ ତ
ଜଣାଣ ଘେନ ମୋ ରଥାଙ୍ଗପାଣି l
ନୀଳାଚଳ ରସିକ ମଣି l
