ଅପ୍ରେଲ ପହିଲା
ଅପ୍ରେଲ ପହିଲା


ମଥା ଘଷି ଘଷି ଭାବୁଥିଲି ବସି
କିଏ ଦେଇଗଲା ଧୋକା
ଦେହ ହାତ ମାଜି ଯାଇନି ତ ସାଜି
ଅପ୍ରେଲ ମାସିଆ ବୋକା !
ଆଉ ଦୀପ ଜାଳି ବଜାଅନି ଥାଳି
ବରଷେ ଗଲାଣି ବିତି
କରୋନା ଭୂତାଣୁ କରିଦେଲା ସ୍ଥାଣୁ
ପାରିଛି ବା କିଏ ଜିତି ?
ଆତ୍ମ ନିର୍ଯ୍ୟାସରେ ଅନ୍ଧ ବିଶ୍ବାସରେ
ଆଶା ରଖି ଅପ୍ରମିତ
ପ୍ରତିଦିନ ଥୋକେ ଅମାନିଆ ଲୋକେ
ହେଉଥିଲେ ସଂକ୍ରମିତ ।
ଉଜାଡ଼ି ଜୀବିକା ଛିଡ଼ିଗଲା ଶିକା
ଆଉ କା' କପାଳେ ଯାଇ
ଖଟୁଥିଲା ଯିଏ
ସର୍ବସ୍ୱାନ୍ତ ସିଏ
ମାଲିକଠୁ ତଡ଼ା ଖାଇ ।
ଏବେ ପିଶାଚୁଣୀ ବ୍ୟାପିଅଛି ପୁଣି
ଅତି ଭୟାବହ ବେଶେ
ପାଇ ଅବକାଶ ହେଲାଣି ପ୍ରକାଶ
ଆତଙ୍କ ଖେଳାଇ ଦେଶେ ।
ଏ ଯେଉଁ କିସମ ଅଧିକ ବିଷମ
ବେଗରେ ପାରୁଛି ଭାସି
ପ୍ରଭାବେ ଯାହାର ଦିଏ ଇସ୍ତାହାର
ଅପ୍ରେଲ ପୁନଶ୍ଚ ଆସି ।
ପାଞ୍ଚଗୋଟି ପାଞ୍ଚ କରୁକରୁ ଯାଞ୍ଚ
ମିଳିଯାଏ ଯେଉଁ ଶିକ୍ଷା
ମୋର ଅନୁରୋଧ କରିନିଅ ବୋଧ
ସମସ୍ତଙ୍କୁ ଦେଇ ଦୀକ୍ଷା ।