ନାରୀ ବନାମ ପୁରୁଷ
ନାରୀ ବନାମ ପୁରୁଷ


ଗୌରବ ବଢଇ ଝିଅଟିଏ ଯେବେ
ନିଜ ଗୋଡେ ପାରେ ଚାଲି
ପୁଅଟିଏ କିନ୍ତୁ ଠିଆ ହେଉ ହେଉ
ବୋଝ ହିଁ ବଢଇ ଖାଲି ।
ଯେଉଁ ଅପରାଧେ ନାରୀଜାତି ପାଇଁ
ସହଜେ ମିଳଇ କ୍ଷମା
ସେହି ଅଧିକାର ପୁରୁଷ ସକାଶେ
ମିଳେନି ସମାଜେ ଜମା ।
ଯାହାଙ୍କୁ ଅନେଇ ହସିଲେ ତକ୍ଷଣେ
ମିଳିଥାଏ ଅପବାଦ
ତାହାରି ହସରେ ଦେଖଣାହାରୀଙ୍କ
ଭୂମିରେ ଲାଗେନା ପାଦ ।
ଅବଳା ଆଗରେ ସର୍ବଦା ଏଇଠି
ପୌରୁଷ ହୁଅଇ ପଣ୍ଡ
ସାମାନ୍ୟ କଟାକ୍ଷ ଅତ୍ୟାଚାର ବୋଲି
ଭୋଗିବାକୁ ହୁଏ ଦଣ୍ଡ ।
ବିବାହ ପରେ ବି ନାରୀ ଲାଗି ସିନା
ସଭିଙ୍କ ନଜର ବେଶି
ମାଆ ଓ ଭାରିଯା ଭିତରେ ପୁରୁଷ
ନିତି ହେଉଥାଏ ପେଷି ।
ନାରୀ ସ୍ବାଧୀନତା ସଶକ୍ତିକରଣ
ନିମନ୍ତେ ଯୋଜନା ସିନା
ଶୃଙ୍ଖଳିତ ପତି ହଲି କି ପାରିବ
ପତ୍ନୀର ସମ୍ମତି ବିନା ?
ବଜାର ଭିତରେ ସପତ୍ନୀକ ନର
ବୋହି ଚାଲିଥାଏ ଝୋଲା
ହାଟର ସୁନ୍ଦର ଚେହେରା ଉପରେ
ବୁଲାଇ ପାରେନି ଡୋଳା ।
ପୁରୁଷ ପ୍ରଧାନ ସମାଜ ନିୟମେ
ଜନନୀ ଭଗିନୀ ଜାୟା
ନିମନ୍ତେ ସୁରକ୍ଷା ଦାୟିତ୍ୱ ନିର୍ବାହେ
ଶେଷକୁ ହୁଅଇ ବାୟା ।
କଠୋର ବୋଲି ତ ଭାଙ୍ଗି ପାରେନାହିଁ
ସଂସାରେ ସମ୍ଭାଳି ଘର
ନିଜର ଅସ୍ତିତ୍ଵ ସନ୍ଧାନ ପାଇଁ କି
ପୁରୁଷକୁ କାହିଁ ତର !