ହରର୍
ହରର୍
ଆମ ଗାଁ ରାଧୁଆ ବଡ ଡରକୁରା
ପ୍ରତି କଥାରେ ତା ଭୟ
ରାତିରେ ଏକଲା ବାହାରିବା ବେଳେ
ଛାଡି ହୁଏ ଧଡ଼ ଧଡ଼ ।
ପେଟ ପାଇଁ ସିଏ କାମ କରି ଯାଏ
ଘରକୁ ଫେରେ ରାତିରେ
ମଶାଣି ପାଖରେ ଲାଗଇ ତାହାକୁ
କିଏ ଆସୁଛି ପଛରେ ।
ଡରେ ଥରହର ଚାହେଁନି ପଛକୁ
ଭୂତ ଭୟ ତାକୁ ଭାରି
ଘରେ ଆସି କରି ଥକ୍କା ମାରି ବସେ
ଚାରା ନଥାଏ ତାହାରି |
ଦିନ କ ଘଟଣା ମାଛ ପୁଡ଼ିଆ ଟେ
ଧରି ଆସଇ ରାଧୁଆ
ସାଇକେଲ ପଛୁ ମାଛ କେହି ନେବା
ଶବଦେ ଉଠଇ ଥରା ।
ଜୀବନ ବିକଳେ ସାଇକେଲ ଧରି ସେ
ଘରେ ପଡ଼େ ଅଚେତ ରେ
ଘର ଲୋକ ସବୁ ବ୍ୟସ୍ତ ବିବ୍ରତରେ
ଚେତା ଫେରାଇ ଆଣିଲେ ।
ଚେତା ଫେରୁ ଫେରୁ ଭୂତ ଭୂତ ବୋଲି
ପ୍ରଳାପ କରଇ ସିଏ
ଭୂତ ମାଛ ତାର ନେଇଗଲା ବୋଲି
ଚିତ୍କାର ସେ କରୁଥାଏ ।
ରାଧୁଆର ସାଙ୍ଗ ବଡ଼ ସେ ସାହସୀ
ଭୂତ ପ୍ରେତେ ଅବିଶ୍ୱାସ
ସାଙ୍ଗର ଅବସ୍ଥା ଦେଖି ସେ ଧାଇଁଲା
ସତ ଜାଣିବା ପ୍ରୟାସ ।
ରାସ୍ତା ସାରା ଦେଖେ ମାଛ ପଡି ଅଛି
ରାଧୁଆର ଜରି ଖାଲି
ମାଛକୁ ଧରି ସେ ଆସିଲା ଘରକୁ
ସାଙ୍ଗକୁ ଗଲା ବୁଝାଇ ।
ରାଧୁଆ ନ ମାନେ ସାଙ୍ଗର କଥା ଯେ
କହେ ଗୋଟେ ଭୂତ ଅଛି
ସବୁଦିନ ତାକୁ ଦେଖୁ ଅଛି ମୁହିଁ
ଧଳା ଲୁଗା ପିନ୍ଧି ଅଛି ।
ରାଧୂଆ ମନର ଭୟ ଦୂର ପାଇଁ
ସାଙ୍ଗ ରାଧୁଆ କୁ ନିଏ
ଭୂତ କେଉଁଠାରେ ବସୁଅଛି ବୋଲି
ଦେଖିବା ପାଇଁ କି ଗଲେ ।
ଜାଗାରେ ପହଞ୍ଚି ରାଧୁଆ ଦେଖାଏ
ଶ୍ଵେତ ବସ୍ତ୍ର ଢଙ୍କା ଦେହ
ଚୁଟି ଖୋଲା ପୁଣି ଚୁପ୍ ଚାପ୍ ହୋଇ
ଠିଆ ହୋଇଛି ଆଗର ।
ରାତି ଅନ୍ଧାରରେ ଲୁଚି ଲୁଚି ଦୁହେଁ
ଦୃଶ୍ୟ ଦେଖି ଭୀତତ୍ରସ୍ତ
ସାଙ୍ଗକୁ ବି ଟିକେ ଭୟ ଲାଗିଗଲା
ତଥାପି ମନେ ସାହସ ।
ଅଣ୍ଟାରେ ଗାମୁଛା ହାତରେ ଟର୍ଚ୍ଚ
ଧରି ବଢିଲା ଆଗକୁ
ପାଖରେ ପହଞ୍ଚି ରାଧୁଆ କୁ ଡାକେ
ରାଧୁଆ ଧାଏଁ ଘରକୁ ।
ଦେଖିଲା ସେଠାରେ ଗଛ ବୁଦା ପରେ
ଅଧା ଜହ୍ନ ର ଆଲୁଅ
ତା ଉପରେ ଅଛି ଗହଳ ଡାଳଟେ
ପଡ଼େ କଳା ଛାଇ ତାର ।
ରାଧୁଆ କୁ ଡ଼ାକି ଟାଣି ଟାଣି ଆଣି
ଦେଖାଇଲା ତାକୁ ସତ
ମନ ଦୁର୍ବଳତା ଭୂତ ଦେଖାଉଛି
ଜାଣି ପାରୁନୁ ତୁ ସାଙ୍ଗ ।
ସେ ଦିନୁ ରାଧୁଆ ଭୂତ ଦେଖି ନାହିଁ
କୁଶଳେ କଟେ ତା ଦିନ
ସାଙ୍ଗକୁ ଦିଅଇ ଧନ୍ୟବାଦ ସିଏ
କହେ ମୋ ସାଙ୍ଗ ମହାନ ।