STORYMIRROR

Upendra prasad Mahala

Horror Tragedy Inspirational

4  

Upendra prasad Mahala

Horror Tragedy Inspirational

କାଵୁଲର ପତନ

କାଵୁଲର ପତନ

1 min
243

କାବୁଲ ପତନ

୨୦୨୧ ଅଗଷ୍ଟ ପନ୍ଦର, ଏକ ଭୟଙ୍କର
ରାତିର ଟ୍ରାଜେଡି ଦେଖିଲା ସାରା ବିଶ୍ବ।
ତାଲିବାନୀଙ୍କ ବର୍ବରୋଚିତ ଆକ୍ରମଣ
ଭୟରେ ଦେଶ ଛାଡି ପଳାୟନ କଲେ 
ଆଫଗାନ ରାଷ୍ଟ୍ରପତି ଆଶ୍ରଫ ଘାନୀ।
ଘଟିଲା କାବୁଲର ପତନ। ରାଷ୍ଟ୍ରପତିଙ୍କ
ଭବନ ଉପରୁ ତଳକୁ ଖସାଇ ଦିଆଗଲା
ଜାତୀୟ ପତାକା। ଗୁଳିଗୋଳା ବର୍ଷଣ ଓ
ନରସଂହାର ଆତଙ୍କରେ ଶିହରି ଉଠିଲା
କାବୁଲର ଛାତି। ଇତିହାସ ପୃଷ୍ଠାରେ ଯୋଡି
ହେଲା ଅମାନବିକତାର କଳଙ୍କିତ ଅଧ୍ୟାୟ।
ମହିଳା, ଶିଶୁଙ୍କ କରୁଣ ଆର୍ତ୍ତଚିତ୍କାର ଫାଟି 
ପଡୁଥିଲା ରାତି। ହଜାର ହଜାର ଲୋକ
ଜୀବନ ବିକଳେ ଘରୁ ପଳାୟନ କଲେ। 
ବଳାତ୍କାରର ଶିକାର ହେଲେ ମହିଳା।

ଦଶନ୍ଧି ଦଶନ୍ଧି ଧରି ଆଫଗାନୀସ୍ଥାନରେ
ଚାଲିଥିଲା ନରସଂହାର, ରକ୍ତରେ ହୋଲି।
ମହାଶକ୍ତି ଆମେରିକାର ଭୀରୁତା ଯୋଗୁ
ବଳି ପଡିଗଲେ ଦେଶର ନିରୀହ ଜନତା।
ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ପରେ କାବୁଲ
ଅଭିମୁଖେ ମାଡି ଆସିଲେ ଆତଙ୍କୀ ଯୋଦ୍ଧା,
ନିଜେ ସଫେଇ ଦେଇ କହିଛି ଆମେରିକା 
'ପରିସ୍ଥିତି ଆମ ଆକଳନ ବାହାରେ ଥିଲା'।
କ୍ଷମତାରୁ ବିତାଡିତ ହେବାର ଦୁଇ ଦଶନ୍ଧି
ପରେ ଶାସନ ଗାଦିକୁ ପୁଣି ଫେରି ଆସିଛି
ବିଦ୍ରୋହୀ ତାଲିବାନ, ପିନ୍ଧିଛି ବିଜୟଟୀକା।
ହିଂସ୍ରତା ଓ ବର୍ବରତାର ନାଟକୀୟ ବିଜୟ
ଲେଖିଛି ମଣିଷ ରକ୍ତରେ ନୂଆ ଇତିହାସ।

ସୋସିଆଲ ମିଡିଆରେ ଭାଇରାଲ ହୋଇ
ଥିବା ଏକ ଭିଡିଓ ହୃଦୟ ଥରାଇ ଦେଉଛି।
କାବୁଲ ବିମାନ ବନ୍ଦରରେ ଆମେରିକାର
ଏକ ସାମରିକ ବିମାନରେ ପଳାଇଯିବାକୁ
ଶତାଧିକ ଲୋକ ଉପରକୁ ଚଢିଗଲେ,
ବିମାନର ଝରକା ଓ ଡେଣାରେ କେତେକ
ଓହଳି ରହିବା ହୃଦୟ ବିଦାରକ ଦୃଶ୍ୟ,
ବିଶ୍ବବାସୀଙ୍କୁ ଚକିତ, ସ୍ତବ୍ଧ କରିଦେଇଛି। 
ଉଡ଼ନ୍ତା ବିମାନରୁ କେତେକ ତଳକୁ ଖସି
ପଡିବାର ଭିଡିଓ ବି ଭାଇରାଲ ହୋଇଛି।

କାବୁଲ ସ୍ଥିତି ନେଇ ଜାତିସଂଘ ନିରାପତ୍ତା
ପରିଷଦ ଉଦବିଗ୍ନ। ଜରୁରୀ ବୈଠକରେ 
କରିଛି ତର୍ଜମା। ଆତଙ୍କ ଘେରରେ ଫଶି
ରହିଥିବା ବିଦେଶୀ ନାଗରିକ, କୂଟନୀତିଜ୍ଞ,
ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର ଚିନ୍ତା ଏବେ
ଘାରିଛି। ଉପସାଗରୀୟ ରାଷ୍ଟ୍ରଙ୍କ ସମେତ
ବିଭିନ୍ନ ଦେଶ ଉଦବେଗ ପ୍ରକଟ କରିଛନ୍ତି।
ସୋଭିଏତ ରୁଷ ଆକ୍ରମଣ ଘଟଣା ପରେ
ଆମେରିକା ଭଳି କେତେକ ରାଷ୍ଟ୍ର ଏକଦା
ତାଲିବାନ ବିଦ୍ରୋହୀଙ୍କୁ ଦେଉଥିଲେ ଅର୍ଥ
ଓ ପ୍ରୋତ୍ସାହନ। ସାକ୍ଷୀ ରହିଛି ଇତିହାସ ।
ବିଶ୍ବ ରାଜନୀତିରୁ ହିଁ ଜନ୍ମ ନେଇଛି ଏଭଳି 
ଆତଙ୍କୀ ସଂଗଠନ, ମୂଲ୍ୟ ଦେବାକୁ ପଡୁଛି
ଅସହାୟ ନାରୀ, ଶିଶୁ, ନିରୀହ ମଣିଷଙ୍କୁ।
କାବୁଲର ପତନରେ ଘଟିଛି ମାନବତାର
ପରାଜୟ, ଇତିହାସ ଦେଇଛି ମହାଶିକ୍ଷା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror