ଅସରନ୍ତି
ଅସରନ୍ତି
ପାଦ ଥକିବାର ନୁହେଁପ୍ରତିଥର
ଗୋଟିଏ ପାଦ ମାଟିରେ ଛିଡ଼ାହୋଇ
ଆର ପାଦକୁ ଆହ୍ୱାନ ଦିଏ
ଆଉ ଟିକିଏ ଆଗକୁ ଚାଲିଯିବା ପାଇଁ
ଚଳତ୍ ଶକ୍ତିର ସିନା ଶେଷଅଛି
ହେଲେ ଏ ରାସ୍ତାର ତ ନାହିଁ ।
ଯେତିକି ଯେତିକି ଆଗକୁ ଯାଉଛି
ସେତିକି ସେତିକି ସରିଯାଉଛି ଆୟୁଷ
ପଛକୁ ବୁଲି ଚାହିଁଲେ ଦିଶୁଛି
ଆଦିଗନ୍ତ ବାଲୁକାରାଶି
ମଝିରେ ସରୁ ପିଚୁ ସଡ଼କ
ସମାନ ଦୃଶ୍ୟ ସାମ୍ନାରେ ।
ଏବେ ମୋ ପାଇଁ ଆଗକୁ ଯିବା ଯାହା
ପଛକୁ ଫେରିଲେ ବି ସେଇଆ
ରାସ୍ତା ଲମ୍ବିଯାଉଛି ସେତେବାଟ
ଯେତେ ଦୂର ଲମ୍ବିଯାଇପାରେ ଆଖିର ଦୃଷ୍ଟିଶକ୍ତି
ତଥାପି ଚାଲିବାକୁ ତ ହେବ ।
କିଏ ସାଙ୍ଗରେ ଆସୁଛି
ଆଉ କିଏ ରହିଗଲାଣି କାହିଁ କେତେ ପଛରେ
କେହିଜଣେ ହାତ ବଢ଼େଇ ଡାକୁଛି
ଆ' ମୋ କୋଳକୁ ଆ'
ମୁଁ ଏବେ ଦୁଇହାତ ଉପରକୁ ଟେକି ଚାଲୁଛି ।
କଅଁଳା ପୁଅ ବସିଛି କାନ୍ଧରେ
ସହଧର୍ମିଣୀ ଧରିଛନ୍ତି ହାତ
ବୋଉ କାଖେଇ ନବ ବୋଲି ତୋଳିଧରୁଛି ମତେ
ମୁଁ ନିଜକୁ ଦୃଢ଼ କରୁଛି , ଆଉ କିଛି ପାଦ ଆଗେଇ ଯିବାକୁ
ପାଦ ଅବଜ୍ଞା କରୁଛି ମୋର ଆହ୍ୱାନକୁ ।
ସଞ୍ଜ ନଇଁ ଆସିଲାଣି
ଦୁନିଆ ମଞ୍ଚରେ ପଡ଼ିଯିବ ଯବନିକା
ମୁଁ ବି ଚାଲୁଛି , ସୂର୍ଯ୍ୟ ବି ଚାଲୁଛନ୍ତି
କିଏ ବା ପହଞ୍ଚି ପାରିବ ସୀମାନ୍ତରେ
ତୁମେ ପୁଣି ଆସିବ ସୂର୍ଯ୍ୟ, ଆସନ୍ତା ପ୍ରତ୍ୟୁଷରୁ
ମୁଁ ପୁଣି ଆସିବି ଫେରି, ତୁମେ ଫେରିବା ଆଗରୁ ।