କଳାବତୀ
କଳାବତୀ
କଳା ରଙ୍ଗ ନେଇ ଜନମିଲି ବୋଲି
ନାଆଁ ହେଲା କଳାବତୀ,
କିଏ ମୁହଁ ମୋଡେ କିଏ ନାକ ଟେକେ
କିଏ ଡାକେ କାଳୀହାତୀ ।
ସଖୀ ସହଚରୀ ଦୂରେଇ ଯାଆନ୍ତି
ନ ଆସନ୍ତି ମୋର କତି,
ବିବାହ ମୋହର ଭାଙ୍ଗେ ବାରମ୍ବାର
କିଏ ହେବ ମୋର ପତି?
କଳା କୋଇଲିର କଣ୍ଠରୁ ଝରଇ
ସୁମଧୂର କେତେ ଗୀତି,
କଳା କଲମର ସାହାରାରେ କବି
ଲେଖଇ କବିତା ପଙକ୍ତି ।
କଳା କିଟିମିଟି ଅନ୍ଧାର ଆକାଶେ
ଚନ୍ଦ୍ରମା ଶୋଭା ପାଆନ୍ତି ,
ଧଳା କେଶବାଲା କଳା କରିବାକୁ
ବାରିକ ପାଖକୁ ଯାଆନ୍ତି ।
ଆଖିରେ ଲାଗିଲେ କଜଳର ଗାର
ବଢେ ନାରୀ ରୂପ କାନ୍ତି,
କୋଇଲାର ଦାମ୍ ଯେତେ ବଢିଲେ ବି
ଲୋକେ ତାକୁ କିଣିଥାନ୍ତି ।
ବଡଦେଉଳର କାଳିଆ ଠାକୁର
ବୋଲାଏ ଜଗତପତି,
ସବୁ କଳା ଏଠି ପାଆନ୍ତି ଆଦର
ମୁହିଁ କାନ୍ଦେ ଦିନରାତି ।
