କେମିତି ଅଛ ହେ ବନ୍ଧୁ...?
କେମିତି ଅଛ ହେ ବନ୍ଧୁ...?
କେମିତି ଅଛ ହେ ବନ୍ଧୁ? ମୋ ପ୍ରିୟ ମିତ
ତୁମ କଥା ସର୍ବଦା ମନେ ପଡେ ମୋର
ହୃଦୟର ସ୍ପନ୍ଦନ ହୁଏ ଆଲୋଡି଼ତ,
ସତେଜ ହୋଇ ଉଠେ ସ୍ମରଣରେ ସବୁ
ସ୍ମୃତି ଫରୁଆର ସେ ଭାବ ବିନିମୟ
ବାଲ୍ୟ ଚପଳତାର ଅଝଟ ବିଗତ ଅତୀତ।
ପ୍ରେମରେ ଆଲିଙ୍ଗନ କରି ନିଜ ବକ୍ଷରେ
ଶ୍ରୀକୃଷ୍ଣ ପୁଛିଲେ ବାଣୀ ସୁଦାମାଙ୍କୁ
ଆତ୍ମୀୟତାର ଅମୃତ ଶ୍ରୀମୁଖରୁ ଝରାଇ,
କେମିତି ଅଛ ହେ ବନ୍ଧୁ ?ମୋ ପ୍ରିୟ ମିତ
କେମିତି ଅଛନ୍ତି ମୋ ବାନ୍ଧବୀ
ଅତି ଆଦରର ସନ୍ତାନଗଣ ସପରିବାର
କୁହ ବନ୍ଧୁ ମୋତେ କିଛି ନ ଲୁଚାଇ।
ମନ ଖୋଲା ହସି ଆନନ୍ଦରେ ଠୋ ଠୋ
କହିଲେ ସୁଦାମା, ହେ ବନ୍ଧୁ ! ମୋ ମିତ
ମୋ ପ୍ରାଣର ପ୍ରାଣ ଦୀନବନ୍ଧୁ କୃପାସିନ୍ଧୁ
ତୁମେ ତ ଅନ୍ତର୍ଯ୍ୟାମୀ ଭାବଗ୍ରାହୀ,
କି ଅବା ତୁମକୁ ଅଜଣା ଅଛପା ଅଛି
ତୁମେ ତ ସର୍ବଜ୍ଞ ସତ୍ୟ ସନାତନ ଚିନ୍ମୟ
ପାଳୁଅଛ ସାରା ସଂସାର ମନ ମୋହି।
ଦେଖିନାହିଁ ତୁମକୁ ମୁଁ କେତେ କାଳୁ
ଛାଡି ଗୋପପୁର ଆସିଲ ହେ ଜନାର୍ଜନ
ଦ୍ଵାରିକା କଟକର ହେଲ ଅଧୀଶ୍ବର,
ଶୁଣି ତୁମ କଥା ପବିତ୍ର ହୋଇଛି କର୍ଣ୍ଣ
ହୃଦୟ ପ୍ରୀତିରେ ହୋଇଛି ପରିପୂର୍ଣ୍ଣ
ବଢି଼ଲା ମନର ଆବେଗତା ବାରମ୍ବାର।
ଅଧିର ଅସ୍ଥିର ହେଲା ମନ ମୋର
ସାକ୍ଷାତ କରିବାକୁ ଆସିଛି ଛୁଟି
ଦେଖି ଏବେ ନୟ
ନର ଆଗେ ହେଲି ମୁଁ ଧନ୍ୟ,
ହେ ! ବନ୍ଧୁ ସଖା ସହଚର ମୋ ପ୍ରାଣଧନ
ନଥିଲା ଜୀବନେ ତିଳେ ମୋର ଆଶା
ତୁମକୁ ଦେଖିବି ବୋଲି ମୁଁ ଆଖି ପୁରାଇ
ଲାଗୁଥିଲା ମୋତେ ଘନ ଅନ୍ଧାର ଶୂନ୍ୟ ଶୂନ୍ୟ।
ସଭକ୍ତିରେ ନୟନରୁ ଲୋତକ ପଡି଼ଲା ଝରି
ସୁଦାମା ବନ୍ଧୁ ପ୍ରେମେ ହେଲେ ବାଷ୍ପାକୁଳ
ଥରଲା ଥରିଲା କଣ୍ଠେ ନ ସ୍ଫୁରିଲା ଗିର,
ମୃଦ ହସି ସଖା କହ୍ନେଇ ବକ୍ଷେ ଧରି ତାଙ୍କୁ
ପୋଛି ଦେଲେ ଅଶ୍ରୁ ଝର ନୟନରୁ
କହିଲେ ବନ୍ଧୁତ୍ବର ପ୍ରୀତି ଚନ୍ଦନ ବୋଳି
ହେ ! ବନ୍ଧୁ ସଖା ଝରାଅ ନା ନୟନରୁ ଲୁହ
ଏ ଲୁହ ନୁହେଁ ଲହୁ ଯେ ମୋ ଶରୀରର।
କି ଅପୂର୍ବ ମିଳନ ଦେଖିଲା ସାରା ଜଗତ
ବନ୍ଧୁ ବନ୍ଧୁଙ୍କର ଆତ୍ମୀୟତା ଅନାବିଳ ପ୍ରେମ
ସ୍ବର୍ଗରୁ ପୁଷ୍ପ ବୃଷ୍ଟି କଲେ ଦେବା ଦେବୀ ସର୍ବେ,
ଭାବ ବିନୋଦିଆ ଭାବରେ ବନ୍ଧା ଅନ୍ତର
ଜୀବ ପରମଙ୍କ ଏ ଦୈବ ସଂଯୋଗ
ଜୀବନର ଆଶା ହେଲା ଚରିତାର୍ଥ ଏ ପର୍ବେ।
ଆଉ କରି ମନ ଊଣା ଅବା କରି ଅଭିମାନ
ବନ୍ଧୁ ଦୁହେଁ କେହି କାହାକୁ ପାରିଲେ ନି
ପଚାରି ଏ ପ୍ରଶ୍ନ କେମିତି ଅଛ ହେ ବନ୍ଧୁ ?
ନଦୀଟିଏ ଝରି ଝରି ଚାଲିଥାଏ ବହି
ସାଗରର ସାନିଧ୍ୟ ପାଇବାକୁ ଉତ୍କଷ୍ଠାରେ
ଏବେ ତ ଏକାକାର ବିନ୍ଦୁ ଆଉ ସିନ୍ଧୁ
କିଏ କରିବ ପ୍ରଶ୍ନ କେମିତି ଅଛ ହେ ବନ୍ଧୁ?