STORYMIRROR

Tapaswini DashSarangi

Drama Classics Inspirational

3  

Tapaswini DashSarangi

Drama Classics Inspirational

ମୋ ବୋଉ କିଛି ଜାଣିନି

ମୋ ବୋଉ କିଛି ଜାଣିନି

2 mins
243

ମୋ ବୋଉ ଏ ଦୁନିଆ ଦେଖିନି

ନୁହେଁ ଆଉ କଣ ଦଶ ମାସ ଗର୍ଭରେ

ରଖି ମୋତେ ଦୁନିଆ ଦେଖେଇଲା

ମୋ ଆଖିରେ ଦୁନିଆକୁ 

ଦେଖିବାକୁ ଭାବିନେଲା।

ପଚାରିଲେ କହୁଛି

ଦୁନିଆର ମାନେ ମୁଁ ଓ ଆମ ପରିବାର

ବୋଉ ଦୁନିଆର ମାନେ ବୁଝିନି

ସତରେ

ମୋ ବୋଉ କିଛି ଜାଣିନି.....।

ମୋ ବୋଉ ଭାରି ମଫସଲି

ଆଉ ନୁହେଁ କଣ 

ମଇଳା ମ୍ଳେଛିଆ ଲୁଗା ପିନ୍ଧୁଛି

ଶାଢୀ ପଣତରେ ଦଶ ଯାଗା ଫଟା

କହୁଛି ସେ ଫଟା ପଣତ ହେଲେ ବି

ଢାଙ୍କୁଣିରେ ମୁଁ କୁଆଡେ

ବଡ଼ ବିପଦରୁ ରକ୍ଷା ପାଇବି

ବୋଉ ସଉଖିନୀ ମାନେ ବୁଝିନି

ସତରେ

ମୋ ବୋଉ କିଛି ଜାଣିନି....।

ମୋ ବୋଉ ରନ୍ଧା ଶିଖିନି

ଚାଇନିଜ୍ ମୁଗଲାଇ ରାନ୍ଧି ଜାଣିନି

କହିଲେ କହୁଛି କଣ ନା

ଶାଗ ପଖାଳରେ ଯେଉଁ ଶାନ୍ତି

ଏ ବିଦେଶୀ ଖାଇବାରେ ନାହିଁ

ବୋଉ ସୁଆଦ ମାନେ ବୋଧେ ବୁଝିନି

ସତରେ

ମୋ ବୋଉ କିଛି ଜାଣିନି....।

ମୋ ବୋଉକୁ ଭୋକ ଲାଗେନି

ରୋଷେଇ ଶାଳର ଗରମରେ

ସିଝି ନ ତୁଅଣ ଛ' ଭଜା

ଆମ ଆଗରେ ଥୋଇ ଦେଉଛି

ତା ପତରରେ ଗୋଟେ ଭଜା କି 

ଲୁଣ ଲଙ୍କା ଧରି ବସୁଛି

କହିଲେ କହୁଛି ମୋତେ ଇଚ୍ଛା ହେଉନି

ଖାଇବାକୁ ଭୋକ ଲାଗୁନି

ସତରେ

ମୋ ବୋଉ କିଛି ଜାଣିନି....।

ମୋ ବୋଉଟା ଭାରି ମିଛେଇ

ଚୁଲି ମୁଣ୍ଡେ ଲୁଚି ଛପି କେବେ କାନ୍ଦୁଛି

ଆଖିର ଲୁହକୁ ଓଠରେ ପିଇ ଯାଉଛି

ଭିତର ବେଦନା ସବୁ ସହି ଯାଉଛି

ପଚାରିଲେ କହୁଛି

ଚୁଲିର ଧାଁସରେ ଆଖି ପୋଡୁଛି

ତାକୁ ସତ ଲୁଚେଇ ଆସୁନି

ସତରେ

ମୋ ବୋଉ କିଛି ଜାଣିନି.....।

ମୋ ବୋଉ ସପନ ଦେଖି ଜାଣିନି

ରାତିର ଘନ ଅନ୍ଧକାରେ

ଉଜାଗର ରହି ମୋ ସ୍ଵପ୍ନ

କଥା ଭାବୁଛି ବସି

ମୋ ଜୀବନ ସୁନା କରିବାକୁ

ଭାବି ତା' ଆଖିକୁ ନିଦ ଆସୁନି

ଅନିଦ୍ରା ଯାମିନୀରେ ତାକୁ

ସ୍ବପ୍ନ ଆସୁନି

ସତରେ

ମୋ ବୋଉ କିଛି ଜାଣିନି.....।

ମୋ ବୋଉ ଅପାଠୋଇ

ତା' ସୀମିତ ଜ୍ଞାନରେ ମୋତେ

ସେ ପାଠ ପଢାଇଲା

ମୋର ପ୍ରଥମ ଗୁରୁ ସାଜି

ମୋତେ ଶିକ୍ଷା ଦେଲା

ଇଂଗିରାଜି ଦୁଇପଦ

ସେ କହି ବୁଝି ଜାଣିନି

ସତରେ

ମୋ ବୋଉ କିଛି ଜାଣିନି....।

ମୋ ବୋଉ ସବୁ ଜାଣିଛି

ଏ ଦୁନିଆକୁ ଠିକ୍ ପଢିଛି

ମୋ ସପନ ତା' ଆଖିରେ ନିତି ଦେଖୁଛି

ତା' ପେଟରୁ ଦାନା କାଟି ମୋତେ ଦେଉଛି

ମୋ ପାଇଁ ଦିନ ରାତି ଭାଳି ହେଉଛି

ସତରେ

ମୋ ବୋଉ ସବୁ ଜାଣିଛି....।

ସତ କଥା ହେଲା

ମୁଁ ତା ତ୍ୟାଗକୁ ବୁଝି ପାରିନି

ତା' ମନକୁ ପଢି ପାରିନି

ତା ମମତାକୁ ଜାଣି ପାରୁନି

ମୁଁ ପ୍ରକୃତରେ ତା'କୁ ଚିହ୍ନି ପାରିନି

ମୋ ବୋଉ ନୁହେଁ.. ମୁଁ ହିଁ କିଛି ଜାଣିନି...।



Rate this content
Log in

Similar oriya poem from Drama