ଶାଶୁଘର
ଶାଶୁଘର
ଓଢଣା ତଳରୁ ଲାଜ ଭରା ମୁଖେ,
ଦେଖେ ସାମ୍ନାର ନୂଆ ସମ୍ପର୍କକୁ,
ନୂଆ ଜୀବନର ନୂଆ ଘରଟିର,
ବାରିବାକୁ ସେ ନୂଆ ମହକକୁ ।
ବାପ ଘର କଥା ରହି ଯାଏ ସବୁ,
ପଡଇ ତାଲା, ସ୍ମୃତି ସିନ୍ଦୁକରେ
ନୁଆ ସଂସାରଟେ ଗଢିବାକୁ ଯେବେ,
ବୋହୂଟିଏ ପଶେ ତା' ଶାଶୁଘରେ I
ନୂଆ ଯୁଗଟିଏ ହୋଇବ ଆରମ୍ଭ,
ନୂଆ ବୋହୂଟି ଶୁଣାଏ ସମ୍ବାଦ,
ଏରୁଣ୍ଡି ବନ୍ଧକୁ ପାରି କରି ଯେବେ
ଆଗକୁ ମାଡ଼େ ଅଳତାର ପାଦ I
ନୂଆ ଅଗଣାରେ ଚଉଁରା ମୂଳରେ
ଶୁଭିବ ତା'ର ପାଉଁଜିର ସ୍ଵର,
ତାହା ହାତେ ଜାଳି ଗୁଆ ଘିଅ ଦୀପ,
କରିବ ବନ୍ଦନା ପ୍ରତି ସନ୍ଧ୍ୟାର I
ନୂଆ ପ୍ରଭାତରେ ନୂଆ ଠିକଣାରେ,
ନୂଆ ନାମଟି ଶୁଭିବ ତାହାର,
ନୂଆ ରୂପ ନେବ ପୁରୁଣା ଭୁଲିକି,
ରାତିଟିରେ ବଦଳିବ ସଂସାର ।
ଅନ୍ନପୂର୍ଣ୍ଣା ସାଜି ସରସ୍ଵତୀ ସାଜି
ହେବ ପୁଣି ସିଏ ପ୍ରିୟ ଶାଶୁର,
ନୂଆ ସ୍ଵପ୍ନ ଭରି ନୟନରେ ତା'ର,
ନୂଆ ବୋହୁ ମାଡ଼େ ତା' ଶାଶୁ ଘର I

