ଘର ଚଟିଆ ଲାଗି ବସାଘର
ଘର ଚଟିଆ ଲାଗି ବସାଘର
ଘର ଚଟିଆଟି ଆତୁର ହେଲାଣି,
ଧାନ ଖଳାରୁ କେବେଠୁଁ ଗଲାଣି,
ଛଣ ଚାରିଖଣ୍ଡ ଦିଶୁନାହିଁ ଆଉ,
ବସା ବାନ୍ଧିବାକୁ ମନ କଲାଣି I
ଖରା ବରଷାର ବଦଳିଛି ରୂପ,
ଶୁଖୁଛି ଗାଆଁର ପୋଖରୀ କୂପ
କାଠି କୁଟା ମାଟି ସବୁଥିରେ ବିଷ,
ଖାଦ୍ୟର ପୁଣି ବଦଳେ ସ୍ଵରୂପ I
ଦିଶୁନାହିଁ ଆଉ ଝଙ୍କାଳିଆ ଲଟା,
ଜଙ୍ଗଲ ବନାନୀ ହେଉଛି କଟା,
କେଉଁଠି ଲୁଚିବ ବାଆ ବତାଶରେ,
ବିନା କାରଣେ ହେବ ହଟହଟା I
ଭଙ୍ଗା ସ୍ଵପ୍ନ କିଛି ତା' ଆଖିରେ ନେଇ,
ଦୁଃଖରେ ବସିଛି ଟିକି ଚଢ଼େଇ,
ଗଢ଼ିବ ତାହାର ସୁନାର ସଂସାର
କାଠ ବାକ୍ସଟିଏ ଦିଅ ବଢ଼େଇ ।।
