ଭକ୍ତ ସାଲବେଗ
ଭକ୍ତ ସାଲବେଗ
ଜାତି ଧର୍ମ ହୀନ ଜଗତ ଠାକୁର
ସିଏ ତ ଭାବରେ ବନ୍ଧା
ରଥ ଯାତରା ରେ ଭାବର ରଜ୍ଜୁରେ
ହୋଇ ଯାଆନ୍ତି ସେ ଛନ୍ଦା ।
ଭକ୍ତ ଶିରୋମଣି ସାଲବେଗ ସିନା
ଜାତି ରେ ଥିଲେ ଯବନ
ପିତା ଲାଲବେଗ ମାତା ଯେ ବ୍ରାହ୍ମଣୀ
ମାତାଙ୍କ ସଂସ୍କାରେ ମଗ୍ନ ।
ମାତାଙ୍କ ସଂସ୍କାରେ ହୃଦ ଦ୍ରବୀଭୂତ
ଭକ୍ତି ଭାବରେ ତଲ୍ଲୀନ
ଭକତି ପ୍ରଦୀପ ହୃଦେ ଜଳୁଥିଲା
ପ୍ରଭୁମୟ ତନୁ ମନ ।
ଏକଦା ଯୁଦ୍ଧରେ କ୍ଷତ ବିକ୍ଷତ ସେ
କ୍ଷତ ନହୁଏ ଆରୋଗ୍ୟ
ମାତାଙ୍କ ଆଦେଶେ ବୃନ୍ଦାବନେ ଯାଇ
ହୋଇ ଥିଲେ ରୋଗମୁକ୍ତ ।
ଯବନ ପିତାର ସୈନିକ ସନ୍ତାନ
ମାତାଙ୍କ ଭାବରେ ବନ୍ଧା
ହିନ୍ଦୁ ଶାସ୍ତ୍ର ଜ୍ଞାନ ମାତା ଦେଉଥାନ୍ତି
ପିତା ଯୁଦ୍ଧର ତରିକା ।
ମାତା ଙ୍କ ସଂସ୍କାରେ ଜଗନ୍ନାଥ ପ୍ରିୟ
ହେଲେ ମନ୍ଦିର ବାରଣ
ବରଷକେ ଥରେ ରଥ ଯାତରା ରେ
କରନ୍ତି ପ୍ରଭୁ ଦର୍ଶନ ।
ଭକ୍ତ ଶିରୋମଣି ଭାବରେ ବିହ୍ଵଳ
ଗମନ ଶ୍ରୀକ୍ଷେତ୍ର ଧାମେ
ରଥଯାତରା ରେ ପ୍ରଭୁଙ୍କୁ ଦେଖିବେ
ମନେ ଶିହରଣ ଜାଗେ ।
ଯାତରା ଦିନଟି ଉପନୀତ ହେଲା
ପ୍ରଭୁ ବଡ଼ ଦାଣ୍ଡେ ବିଜେ
ଭକତ ପ୍ରବର ଯବନ ଆଖିରୁ
ଅନର୍ଗଳ ଅଶ୍ରୁ ଝରେ ।
ଆହୁରି ବରଷେ କେମିତି ଚାହିଁବେ
ମନେ ବେଦନାର ସୁଅ
ପଥ ପ୍ରାନ୍ତେ ଭକ୍ତ ହାତ ଟେକି କୁହେ
ପ୍ରଭୁ ଟିକେ ରହିଯାଅ ।
ଭକତ କଷଣ ସହି ପାରିଲେନି
ଭକତ ବତ୍ସଳ ପ୍ରଭୁ
ଭକ୍ତ ଲୁହ ସାଥେ ମେଘମାଳା ମିଶି
ବରଷିଲେ ଅନାହୁତୁ ।
ଅଟକିଲା ରଥ ବଡ଼ଶଙ୍ଖ ଠାରେ
ଭକ୍ତ ପହଞ୍ଚେ ଶ୍ରୀକ୍ଷେତ୍ରେ
ଭାବ ବିହ୍ଵଳରେ ଭକତ ଅଧିର
ଅଶ୍ରୁ ଭାସୁଥାଏ ନେତ୍ରେ ।
ଭକ୍ତ ମନସ୍କାମ ପୂରଣ ହୋଇଲା
ରଥେ ଦେଖି ଜଗନ୍ନାଥ
ସାଲବେଗ ହେଲେ ଅଦ୍ଵିତୀୟ ଭକ୍ତ
ଜଗତେ ସେ ହେଲେ ଖ୍ୟାତ ।
ରଥ ଯାତରା ରେ ଏବେ ବି ଅଟକେ
ବଡ଼ବଙ୍ଖେ ତିନିରଥ
ସାଲବେଗ ଙ୍କର ସମାଧୀ ପୀଠକୁ
ଚାହୁଁ ଥାନ୍ତି ଜଗନ୍ନାଥ ।
ଭକ୍ତ ଶିରୋମଣି ଭକ୍ତି ଭାବନାରୁ
ସୃଷ୍ଟି ଭଜନ ଜଣାଣ
ଜନ ମାନସରେ ତାହାର ଆଦୃତି
ଭରି ଦିଏ ଭକ୍ତ ମନ ।
ଧନ୍ୟ ସାଲବେଗ ଧନ୍ୟ ତୁମ ମାତା
ଧନ୍ୟ ତୁମ ଭକ୍ତି ଭାବ
ତୁମ ସମର୍ପଣ ଅନନ୍ୟ ଅଟଇ
ଭକ୍ତି ଭାବନାରେ ଭବ୍ୟ ।
ଭକତ ବତ୍ସଳ ଭକତିରେ ବନ୍ଧା
ଧନ୍ୟ ତୁମ ଭାବ ପ୍ରୀତି
ଏ ଦୀନ ମତିରେ ଭାଵ ଭରିଦିଅ
ହେ ପ୍ରଭୁ ଜଗତ ପତି ।
ହେ ଭକ୍ତ ପ୍ରବର ଘେନ ହେ ପ୍ରଣାମ
ତୁମେ ପ୍ରଭୁଙ୍କର ପ୍ରିୟ
ଯୁଗ ଯୁଗ ଧରି ତୁମ ଗାଥା ଗାଇ
ସର୍ବେ ହେବେ ଭାବମୟ ।