ଅବୁଝା କୁ ବୁଝାଇବ କିଏ
ଅବୁଝା କୁ ବୁଝାଇବ କିଏ
ସବୁ ଜାଣି ଶୁଣି କଥା ବୁଝେ ନାହିଁ ଯିଏ
ଅବୁଝାରେ ଗଣା ସିଏ
କେମିତି ତାହାକୁ ବୁଝାଇ ବା ହେବ
କାଠିକର ପାଠ ହୁଏ ।
ସଂସାର ସାଗରେ ଅବୁଝା ପଣିଆ
ନାବ କୁ ଡୁବାଇ ଥାଏ
ହେଲେ କହ୍ନେଇର ଅବୁଝା ପଣିଆ
ପ୍ରୀତି ବାଣ୍ଟି ଦେଉ ଥାଏ |
ଜୀବ ଜୀବନର ନଭ ମଣ୍ଡଳରେ
ଅବୁଝା ପଣ ପଶିଲେ
ନଷ୍ଟ ଭ୍ରଷ୍ଟ କରେ ବେଦନା ରେ ଭରେ
ମନ ମାନସ ଚ଼ହଲେ ।
କାହ୍ନାର ଅବୁଝା ପଣ ଅନୁପମ
ଜାଣି ଶୁଣ କରୁ ଥାଏ
ଅବୁଝା ପଣରେ ମାଟି ଖାଇ ସିଏ
ମାତାଙ୍କୁ ମୋହିତ କରେ ।
ଅବୁଝା ପଣ ତା ଯାତନା ବାଣ୍ଟେନି
ମାତୃତ୍ଵ ସନ୍ତୋଷ ଲଭେ
ଘରେ ଘରେ ପଶି ଲବଣୀ ଚୋରାଏ
ବୁଝାଇ ନବୁଝେ କେଭେ ।
ତା ଅବୁଝା ପଣେ ଅନୁରାଗ ଭରା
ବାତ୍ସଲ୍ୟ ମମତା ମାଗେ
ଗୋପୀ ଗୋପାଳୁଣୀ ନାଲିସି କରନ୍ତି
ନ ଦେଖିଲେ ଆଖି ଭୋଗେ ।
ଅବୁଝା ହୋଇ ସେ ମାତାଙ୍କ ଆକଟ
କର୍ଣ୍ଣେ ଶୁଣିବାକୁ ଚାହେଁ
ମିଷ୍ଟ କଥା ରେ ସେ ଶିଷ୍ଟ ହୁଏ ନାହିଁ
ଅବୁଝା ପଣ ଦେଖାଏ ।
ଅବୁଝା ପଣରେ ସବୁଠୁ ଆଗରେ
ଯଶୋଦା ନନ୍ଦନ ପରା
ତା ଅବୁଝା ପଣ ତତ୍ତ୍ଵରେ ତଲ୍ଲୀନ
ବୁଝେ କି ଜଗତ ସାରା ।
ଯେତେ ଖାଇଲେ ବି ଚୋରି କରେ ସିଏ
ଗୋପୀ ଗୋପାଙ୍ଗନା ପାଇଁ
ଅବୁଝା ପଣର ଲୀଳା ବଖାଣଇ
କିଏ ଲୀଳା ବୁଝିବଇଁ |
ଅବୁଝା ପଣରେ କାହ୍ନା ସିନା ଆଗେ
ମହତ ଉଦ୍ଦେଶ୍ୟ ଥାଏ
ଅବୁଝା ପଣ ତା ପୁତନାକୁ ମାରେ
ମାମୁଁ ମାରି ପାପ ନାଶେ ।
ତା ଅବୁଝା ପଣେ ଶିଷ୍ଟତା ଜଡିତ
ଜଗତର ହିତ କରେ
ଗୋପୀ ଗୋପାଙ୍ଗନା ଯଶୋଦା ମାତାଙ୍କ
ପ୍ରେମ ଦାନେ ମନ ଭରେ ।
ଅବୁଝା ମଣିଷ ଚେତନା ରହିତ
ଚେଇଁ ଯେବେ ଶୋଇ ରହେ
ଅହମିକା ଘେରେ ଘାଣ୍ଟି ହୋଇ ସିଏ
ଅନ୍ୟ କ୍ଷତି ରଚି ଯାଏ ।
ଅବୁଝା ପଣିଆ ସମାଜ ଅହିତ
କରିବା ର ସ୍ରୋତ ଟିଏ
କାହ୍ନୁ ନୁହେଁ ସିଏ ତା ଅବୁଝା ପଣେ
ଅନ୍ୟକୁ ମୁକତି ଦିଏ |
କାହ୍ନୁ ର ଅବୁଝା ପଣେ ଲେଖାଅଛି
ଜୟ ବିଜୟ ଙ୍କ ମୁକ୍ତି
କଂସର ଅବୁଝା ପଣେ ତ୍ରସ୍ତ ସର୍ବେ
ତିରୋହିତ ହେଲା ଶକ୍ତି ।
କାହ୍ନୁ ର ଅବୁଝା ପଣେ ବ୍ରଜ ତ୍ୟାଗ
କୈଶୋର ର ବିଷାଦତା
ବିଷାଦ ଗୀତରୁ ଧର୍ମ ସଂସ୍ଥାପନେ
ଲେଖି ଦେଇ ଗଲା ଗୀତା ।
ଅବୁଝା ପଣିଆ ହିତ କାରୀ ହେଲେ
କହ୍ନେଇ ନିଶ୍ଚେ ହସିବ
ଅବୁଝା ପଣଟା ସମାଜ ହିତରେ
ଲାଗି ଗଲେ ଧନ୍ୟ ହେବ
