ଦୃଶ୍ୟାନ୍ତର
ଦୃଶ୍ୟାନ୍ତର
ଶିତୁଆ ସକାଳ କୁହୁଡି ବହଳ ଟିପି ଟିପି ବର୍ଷା ଭ୍ରମ
ତାଳ ଗଛ ଫାଙ୍କେ ସୁରୂଜ ଲଢ଼ନ୍ତି କରିବାକୁ ତାଙ୍କ କର୍ମ ।
ବିଥିର ମଥାନ ଭିଜା ଭିଜା ପରା ସୁପ୍ତ ମନୋଭାବ ତାଜା
ଘାସ ଗାଲିଚାରେ ମୁକୁତା ଛିଆଣି ବସୁମତି ବସ୍ତ୍ର ଓଦା ।
ସବୁଜ ମଥାନ ବଉଳ ବାସନା ବସନ୍ତ ଆସୁଛି କହେ
ହେଲେ କୁଜ୍ଝଟିକା ପଥ ଭ୍ରଷ୍ଟ କରେ ଦିନମଣି ଲଢୁଥାଏ ।
ଶୀତ କାକରରେ ଘାସ ପଡ଼ିଆରେ ଗୋମାତା ବତ୍ସା ସଙ୍ଗତେ
ସତେ କି ଜନନୀ ସନ୍ତାନର କାନେ ଜୀବନ ଦର୍ଶନ କୁହେ ।
ପରସ୍ତ ପରସ୍ତ ଆକାଶକୁ ଚିରି ଦିବାକର କର ଖର କାଠୁଆ ଶୀତରୁ ସତେ କି ସୁରୂଜ ମାରିଲେଣି ତୀକ୍ଷ୍ଣ ଶର ।
ବସନ୍ତ ନିଶିଥ ଲୁଚିଗଲା କିବା ତପନ କମ୍ପନ ରାଗେ
ଋତୁ ରାଜ ତାଙ୍କ ସତ୍ତା କି ହାରିଲେ ବିବର୍ତ୍ତନ ର ଉନ୍ମାଦେ
।
ଦୃଶ୍ୟ ଦୃଶ୍ୟାନ୍ତର ହରାଏ ଦିଗନ୍ତ ଜୀବନର ଗୁଢ଼ ଗାଥା
ଦୃଶ୍ୟର ପ୍ରତିଟି ଗଳି ଅଳିନ୍ଦରେ ଜୀବନ ଦର୍ଶନ କଥା |
ପଥ ପରିକ୍ରମା ଦୃଶ୍ୟର ମହିମା ବିହରଣ ଆହରଣ
ଦୃଶ୍ୟ ଦୃଶ୍ୟାନ୍ତରେ ଯବନିକା ସ୍ଥଳେ ସାର୍ଥକ ହେଉ ଜୀବନ ।
