STORYMIRROR

Sarojini Mishra

Classics

4  

Sarojini Mishra

Classics

ତୋ ବିନା ମୁଁ

ତୋ ବିନା ମୁଁ

1 min
10

ତୋ ବିନା ଏ ମୋର ନଶ୍ୱର ଶରୀର
ବିଶ୍ଵରେ ତ ନିଃସ୍ୱ ଦିଶେ
ପ୍ରେମ ଆଞ୍ଜୁଳାରେ ଅଶ୍ରୁ ର ଜଳରେ
ତୋର ପ୍ରତିଛବି ଭାସେ ।୧

ଆଞ୍ଜୁଳା ଆଞ୍ଜୁଳା ପ୍ରୀତି ପୁଷ୍ପ ନେଇ
ତୋ ପାଇଁ ପଥ ସଜାଏ
ଆଖି ଦିଗନ୍ତରେ ଅସରନ୍ତି ଆଶା
ତୋ ବିନା ଦୁଃଖେ ଭସାଏ ।୨

ତୋ ବିନା ମନର ପ୍ରୀତି ବାରଣ୍ଡାରେ
ପ୍ରତିଶୃତି ପଥ ଭୁଲେ
ତୋ ପାଇଁ ଏ ମନ ପ୍ରତୀକ୍ଷିତ ହୋଇ
ଆଖିରୁ ଲୋତକ ଢ଼ାଳେ ।୩

ତୁ ଆସିବୁ ବୋଲି ମୋ ଦାଣ୍ଡ ଦୁଆର
ଖୋଲା ରଖି ଚାହିଁ ବସେ
ରାତି ପାହାନ୍ତାରେ ତୋ ବଂଶୀ ସ୍ୱନରେ
ଭ୍ରମିତ ବଚ଼ନ ଭାସେ ।୪

ତୋ ବିନା ମନଟା ଭାରି ଭାରି ଲାଗେ
ପ୍ରକୃତି କୋଳରେ ଖୋଜେ
ଶିଶିରେ,ପତରେ,ମୃଦୁ ମଳୟରେ
ତୋର ହସ୍ତାକ୍ଷର ସାଜେ । ୫

ତୋ ବିନା ଜୀବନ ଦିଗହରା ପରା
ବିଶ୍ୱାସେ ଆଭାସ ଭରା
ତୋ ବିନା ଆତ୍ମାରେ ନିଃସ୍ବତା ସଂଚ଼ରେ
ହୃଦୟେ ଅନ୍ଧାର ସାରା ।୬

ତୋ ବିନା ମୁଁ ଅଟେ ଅଧା ଅଧୁରା ଯେ
ଅନୁଭବ ନେଇ ବଞ୍ଚେ
ମୋ ଅନୁଭବ ର ପ୍ରତିଟି ପୃଷ୍ଠାରେ
ଏ ଜୀବନ ଗଳ୍ପ ରଚ଼େ ।୭

ତୋ ବିନା ମନଟା ଭାରାକ୍ରାନ୍ତ ହେଲେ
ଜହ୍ନେ ତୋର ଛବି ଦେଖେ
ତାରା ମେଳେ ପୁଣି ଆକାଶ ପହଁରୁ
ଦୁରୁ ଦେଖି ଖୁସୀ ମାଖେ ।୮

ତୋତେ ପାଇବାକୁ ଆଶାବାଦୀ ସିନା
ମୀରାର ଭରସା କାହିଁ
ତୋ ପ୍ରେମ ଛନ୍ଦରେ ନାଚିବାକୁ ଚାହେଁ
ରାଧା ଭାବ ଆସି ନାହିଁ |୯

ତଥାପି ତୋ ପାଇଁ ନିଇତି ବିକଳ
ମୋ ପାଖକୁ ଟିକେ ଆ
ସପନେ ଗୋପନେ ମନ ଆଙ୍ଗନରେ
ବଇଁଶୀ ବଜାଉ ଥାଆ । ୧୦
  


Rate this content
Log in

Similar oriya poem from Classics