ଈଶ୍ଵରଙ୍କ ସହ ଦିନେ
ଈଶ୍ଵରଙ୍କ ସହ ଦିନେ


ଈଶ୍ଵର ହେ, ଯଦି ଥରେ ଦିଅନ୍ତ ଗୋ ଦେଖା
ସାଙ୍ଗ ହୋଇ ଚାଲିଥାନ୍ତି କିଛି କ୍ଷଣ, ତୁମ ସାଥେ ସଖା !
ଗୋଟେ ଦିନ ପାଇଁ ମୁଁ ପାଲଟିଯାନ୍ତି ତୁମ ପ୍ରେମିକା
ଆଉ ଖୁବ ମନ ଭରି ଓଗାଳି ପକାନ୍ତି ଅନ୍ତରର ଭିକ୍ଷା !
କବିସୂର୍ଯ୍ୟଙ୍କ ବ୍ୟାଜସ୍ତୁତିରେ ଆଉ ନ ଥାନ୍ତି ସଂପାତି,
କି ଭିକାରି ବଳଙ୍କ ଭଳି ବଡଦେଉଳ ଆଗେ ଠିଆ ହୁଅନ୍ତିନି ହାତପାତି !
ଶବରୀ ପରି ଅଇଁଠା ନ ଖୁଆଇ ସାଙ୍ଗ ହୋଇ ଖାଆନ୍ତେ ଏକା ଥାଳିରୁ,
ଅହଲ୍ୟା ପରି ପ୍ରତୀକ୍ଷା ନ କରି ବରଂ ତୁମେ ଥାନ୍ତ ମୋ ସାମ୍ନାରେ,
ଆଉ ମୁଁ ଗପି ଚାଲନ୍ତି ଫର୍ଦ୍ଦ ପରେ ଫର୍ଦ୍ଦ,
ବିନା ସର୍ତ୍ତରେ, ବିନା ପ୍ରତି
ବାଦରେ-
ଭାବପୂର୍ଣ୍ଣ କଥାସବୁ ସେ ଅଭାବୀ ମୂହୁର୍ତ୍ତଗୁଡିକର !
ଆଉ କିଏ ଅଛି ଯେ, ସେଇ ବିଳମ୍ବିତ ଆଉ ବିଡମ୍ବିତ ସମୟର
ଅବସ୍ଥାକୁ ବୁଝିବାକୁ, ଉପଲବ୍ଧି କରିବାକୁ ସେ ଅସହାୟତାକୁ,
କୋକୁଆ ପରି ସଂଶୟ, ଯା' ବେଳେବେଳେ ଜାବୁଡି ବସେ ମୋ ସମଗ୍ର ସତ୍ତାକୁ,
(ଯଦୁ) ସବଂଶ ଧ୍ଵଂସର ଡିଣ୍ଡିମ ପିଟେ ମୋ କର୍ଣ୍ଣ ଗହ୍ଵରରେ !
ଦେହାତୀତ ସେ ସମ୍ପର୍କର ପରିଣାମ କଣ ତୁମକୁ ଅଜଣା,
ଆତ୍ମା-ପରମାତ୍ମାର ମିଳନ ପରି ଯୋଗ ସାଧନା,
ନିର୍ବାଣ ତ ନୁହେଁ, ନିମଗ୍ନ ହେବାକୁ ଇଛା ଓ ପରିକଳ୍ପନା,
ଜୀବନର ସବୁ ସମ୍ଭାବନା ଓ ଅସମ୍ଭାବନାକୁ କରିବାକୁ ସାମ୍ନା !
ବାସ ! ସେତିକି ଇଚ୍ଛା ଓ କାମନା ! ତେଣିକି ତୁମ ଯାଚନା !