ମଧ୍ୟରାତ୍ରି
ମଧ୍ୟରାତ୍ରି


ମଧ୍ୟ ରାତ୍ରିରେ ସମସ୍ତେ ତୃପ୍ତିରେ ଶୋଇଗଲା ପରେ
ଅଳସ ଶରୀରଟାକୁ ଶେଯରେ ଲୋଟାଇ ଦେଲା ପରେ,
ସେ ଉଠିବସେ ସେଇ ଗାଢ କାଳିମାରେ ।
ହଁ, ମଧ୍ୟରାତ୍ରିଟା ହେଉଛି ତା'ର ଖୁବ ନିଜର,
ଏକାନ୍ତ ମୁହୂର୍ତ୍ତ ଯୋଉଥିରେ କେହି ଭାଗ ବସେଇବାର ନାହିଁ
ନିଜ ସହ ନିଜେ ପରିଚିତ ହେବାର ବେଳ,
ନିଜକୁ ଧୋଇ ପଖାଳି ଆଉ ଟିକେ ସଜାଡିବାର ବେଳ ।
ନିଜର ଚର୍ଯ୍ୟା ଓ ତାକୁ ନେଇ ଚର୍ଚ୍ଚାକୁ ମାର୍ଜିତ କରିବାରେ
ବିଶ୍ରାମକୁ ସମାଧି ଦେଇ
ସାଧନାରତ ତପସ୍ଵିନୀ ପରି
ନିଜର କଳ୍ପିତ ସ୍ଵପ୍ନକୁ ସ୍ପଷ୍ଟ କରିବାରେ
ନିଜର ଚିତ୍ରିତ ଇଛାକୁ ରଙ୍ଗ ଦେବାରେ
ନିଜର ସର୍ଜନା ରୂପକୁ ଜୀବନ୍ୟାସ ଦେବାରେ ।
ଦଉଡୁ ଥିବା ସମୟ ବି ହାର ମାନିଯାଏ
ତାକୁ ଏଇବେଳେ ଆଉ ଟିକେ ଧାର ଦେଉଥାଏ,
ନିଜକୁ ଭଲ କରି ଦେଖିବାରେ,
ଭଲ କରି ବୁଝିବାରେ,
ଭଲ କରି ବଞ୍ଚିବାରେ
ସେଇ ବିଳମ୍ବିତ ମୁହୂର୍ତ୍ତରେ
ଅନ୍ଧକାରର ଆଲିଙ୍ଗନରେ ।